Thu. Oct 23rd, 2025

ନ୍ୟୁଜ ଡେକ୍ସ: ଶନିବାର ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ରାମେଶ୍ୱର ଅଭିମୁଖେ ଯାତ୍ରାରମ୍ଭ କରିବ। ରଥଗଡ଼ାରୁ ଘରଘର ନାଦ କରି ବାହାରିବ ପ୍ରଭୁଙ୍କ ରଥ । ଏହି ପଞ୍ଚ ଦିବସୀୟ ଯାତ୍ରାରେ ଏକାମ୍ରର ଆରାଧ୍ୟ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଏବଂ ଭଉଣୀ ରୁକ୍ମିଣୀ ରାମେଶ୍ୱରଙ୍କ ପୀଠକୁ ଯିବେ ।

ରଥଦାଣ୍ଡରେ ଗଡ଼ିବ ରୁକୁଣା ରଥ। ଦିନ ୩ଟାରେ ଆରମ୍ଭ ହେବ ରଥଟଣା। ତିନି ଠାକୁର ରଥାରୁଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଅପେକ୍ଷା କରି ରହିଛନ୍ତି ଶହ ଶହ ଶ୍ରଦ୍ଧାଳୁ।ଗତକାଲି ମଧ୍ୟରାତ୍ରରେ ମହାଖଳାଠାରେ ରଥ ପ୍ରତିଷ୍ଠା କରାଯାଇଥିଲା। କେଦାରଗୌରୀ ନିକଟ ତଥା ମୁକ୍ତେଶ୍ବର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡରୁ ପାଣି ଆସିବା ପରେ କ୍ଷେତ୍ରବାସୀ ବ୍ରାହ୍ଣଣ ନିଯୋଗର ସେବାୟତ ରଥ ପ୍ରତିଷ୍ଠା ପୂଜା କରିଥିଲେ। ସେହିଭଳି ନେତ ପୂଜା କରାଯାଇଥିଲା ଏବଂ ରଥ ଚୂଡ଼ାରେ ନେତ ଲଗାଯାଇଥିଲା। ଏହି ରଥର ବିଶେଷତ୍ବ ହେଉଛି ଏହା ଅଣଲେଉଟା। ରଥଯାତ୍ରା ପାଇଁ ନିର୍ଦ୍ଧାରିତ ନୀତି ଅନୁଯାୟୀ, ଭୋର ୫ଟାରେ ମନ୍ଦିର ପହୁଡ଼ ଖୋଲି ମଙ୍ଗଳ ଆଳତି ଓ ଅବକାଶ ନୀତି ସମାପନ ହେବ । ଦିନ ସାଢେ ୧୨ଟାରୁ ସାଢେ ଗୋଟାଏ ମଧ୍ୟରେ ଦେବଦେବୀଙ୍କୁ ପହଣ୍ଡି କରାଯାଇ ରଥ ଉପରକୁ ବିଜେ କରାଯିବ ।

ରଥ ଉପରେ ଏବଂ ତଳେ ୧୪ ପ୍ରକାରର ପୂଜା ବଢ଼ିବା ପରେ ଅଶ୍ୱ ଯୋଚା ଯିବ । ଆଜ୍ଞାମାଳ ପାଇଲା ପରେ ରଥ ଗଡ଼ିବ । ରଥ ଟଣା ଯିବା ସମୟରେ କର୍ଡନ ଭିତରେ କେବଳ ଖଉଡ଼ା(ରଥରେ ବ୍ରେକ୍ ଲଗାଉ ଥିବା ସେବାୟତ) ଓ ମହାରଣା ସେବାୟତ ମାନେ ରହି ପାରିବେ । ଏଥର ମଧ୍ୟ ରଥ ଟଣା ଅପରାହ୍ନ ଠିକ ସାଢେ ୩ଟାରେ ଆରମ୍ଭ ହେବ ବୋଲି ଚୂଡ଼ାନ୍ତ ହୋଇଛି । ରଥ ଗଡ଼ିବା ବାଟରେ ଗୋପାଳ ତୀର୍ଥ, ଶିବତୀର୍ଥ, ଭାରତୀ ମଠ ଓ ଅସୁର କିଆରୀଠାରେ ଦେବଦେବୀଙ୍କୁ ଭୋଗ ଲାଗି ହେବ ।

ରାମେଶ୍ୱର ପହଞ୍ଚିବା ପରେ ସେଠାରେ ପ୍ରଥମେ ଅଶୋକା କୁଣ୍ଡରେ ମହାପ୍ରଭୁ ସ୍ନାନ କରିବେ । ପରେ ୧୪ଟି ଅଶୋକା କଢି ମଧ୍ୟ ଲାଗି ହେବେ । ରଥଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୩୭ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ଶ୍ରୀଲିଙ୍ଗରାଜ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *