ନ୍ୟୁଜ ଡେକ୍ସ: ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ଼) ପକ୍ଷରୁ ଅନ୍ତର୍ଜାତୀୟ ଜଳ ସୀମାରୁ ସନ୍ଦେହ ଜନକ ଅବସ୍ଥାରେ ବୋଟକୁ ଜବତ କରାଯାଇଛି । ବୋଟକୁ ଭାରତୀୟ ଜଳ ସୀମାର ପଶ୍ଚିମବଙ୍ଗ ଓ ବାଂଲାଦେଶ ବର୍ଡ଼ର ନିକଟରୁ ଜବତ କରିଛି କୋଷ୍ଟଗାର୍ଡ଼ । ବୋଟର ନାମ ମା ବାସନ୍ତୀ ହୋଇଥିବାବେଳେ ବୋଟରେ ଅଛନ୍ତି ୧୪ଜଣ ବ୍ୟକ୍ତି ।
ତେବେ ସୂଚନା ମୁତାବକ, ବାଂଲାଦେଶ ସହ ଜଡିତ ଭାରତର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ସନ୍ଦେହଜନକ ଭାବରେ ଗତି କରୁଥିବା ଏକ ମାଛଧରା ଡଙ୍ଗା ଅଟକାଇଥିଲେ ଡ୍ୟୁଟିରେ ଥିବା ଏକ ତଟରକ୍ଷୀ ବାହିନୀ ଜାହାଜ ଏବଂ ICGS Varad। ICGS Varadର ଏକ ବୋର୍ଡିଂ ଦଳ ‘ଏଫବି ମା ବାସନ୍ତୀ’ ନାମକ ମାଛ ଧରିବା ଡଙ୍ଗାରେ ଧରିଥିଲେ।ତଲାସୀ ସମୟରେ ଜାହାଜରୁ ପ୍ରାୟ ୪୫୦ ବସ୍ତା ଗୁଆ ମିଳିଥିଲା। ପ୍ରତ୍ୟେକ ବସ୍ତାର ଓଜନ ପ୍ରାୟ ୫୦-୬୦ କିଲୋଗ୍ରାମ ଥିଲା ବେଳେ ମୋଟ ଓଜନ ୨୫ ଟନ୍ ବୋଲି ଜଣାପଡିଛି।
ତେବେ ଏହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।କୋଷ୍ଟଗାର୍ଡ ବୋଟକୁ ପାରାଦୀପ ବନ୍ଦରକୁ ଅଣାଯାଇଥିବାବେଳେ, ଅଟକ ବ୍ୟକ୍ତିମାନଙ୍କୁ ପଚରାଉଚରା ଜାରି ରହିଛି। ସେମାନେ ଏହି ଗୁଆକୁ କେଉଁ ଉଦେଶ୍ୟରେ ନେଉଥିଲେ, ଆଗରୁ କେତେ ଥର ଯାଇଛନ୍ତି ଏବଂ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତଦନ୍ତ ପରେ ଜଣାପଡ଼ିବ ବୋଲି କୋଷ୍ଟଗାର୍ଡ଼ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛି ।
