Thu. Oct 23rd, 2025

ନ୍ୟୁଜ ଡେକ୍ସ: ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ । ଶନିବାର ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ନିକଟରେ ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ-୨୦୨୪କୁ ସ୍ୱୀକୃତି ପ୍ରଦାନ କରିବା ପରେ ଏହା ସରକାରୀ ଭାବେ ଲାଗୁ କରାଯାଇଛି ।

ତେବେ ଚଳିତ ବଜେଟ୍ ଅଧିବେଶନରେ ଗତ ଏପ୍ରିଲ ୨ ତାରିଖରେ ବିଧାନସଭାରେ ରାତି ତମାମ ଆଲୋଚନା ହେବା ପରେ, ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ), ବିଧେୟକକୁ ବିଧାନସଭାରେ ପାରିତ କରାଯାଇଥିଲା । ଆଜି ଏହି ବିଧେୟକ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିଛି । ଆଜିଠାରୁ ସାରା ରାଜ୍ୟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ,୨୦୨୪ ଲାଗୁହୋଇଛି । ଯାହା ଉଚ୍ଚଶିକ୍ଷାର ବିକାଶ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ମତ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।ସେ କହିଛନ୍ତି, ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଏହି ବିଧେୟକ ଗୁରୁତ୍ୱପୂର୍ଣ୍ଣ ।

ଏହି ଅଧିନିୟମ ଦ୍ୱାରା ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ସୁନିଶ୍ଚିତ ହେବା ସହିତ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ଅନୁଯାୟୀ ସରଳୀକରଣ ଓ ତ୍ୱରାନ୍ୱିତ କରାଯାଇ ପାରିବ । ବିଶ୍ୱବିଦ୍ୟାଳୟରେ ସିନେଟ୍ର ପୁନଃ-ଅନ୍ତର୍ଭୁକ୍ତୀକରଣ କରାଯିବ । ପ୍ରତି ବର୍ଷ ଦୁଇଥର ସିନେଟ୍ ବୈଠକ ଅନୁଷ୍ଠିତ ହେବ। ଏଥିସହ ସିନେଟରେ ସର୍ବମୋଟ ୬୮ଜଣ ସଦସ୍ୟ ରହିବାର ବ୍ୟବସ୍ଥା ଥିବାବେଳେ ଅତିକମ୍ରେ ୩୭ଜଣ ସଦସ୍ୟ ଶିକ୍ଷକ, ଶିକ୍ଷାବିତ୍ ଓ ଛାତ୍ରସମାଜ ପ୍ରତିନିଧି ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି ।

Leave a Reply

Your email address will not be published. Required fields are marked *