ନ୍ୟୁଜ ଡେକ୍ସ: ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ପରଲୋକ ଘଟିଛି । ଶନିବାର ଭୋରରୁ ତାଙ୍କ ପରଲୋକ ଘଟିଛି । କିଛି ଦିନ ଧରି ସେ ଅସୁସ୍ଥ ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ରତିକାନ୍ତ ମହାନ୍ତି ଦି ଏସିଆନ୍ ଏଜ୍, ଦିନଲିପି, ସ୍ୱରାଜ୍ୟ ଏବଂ ପର୍ଯ୍ୟବେକ୍ଷକ ଭଳି ଅନେକ ସମ୍ବାଦ ସଂସ୍ଥା ସହିତ କାମ କରିଥିଲେ । ସେ ପ୍ରାୟ ଚାରି ଦଶନ୍ଧି ଧରି ଶାସନ ଏବଂ ରାଜନୀତିର ଖବର ପରିବେଷଣ କରିଥିଲେ । ସେ ଆହୁରି ମଧ୍ୟ ସମ୍ବାଦ ସଂସ୍ଥା ହିନ୍ଦୁସ୍ଥାନ ସମାଚାର ସହିତ ମଧ୍ୟ ଜଡିତ ଥିଲେ । ସେ ଓଡ଼ିଶାର ସାମାଜିକ ଓ ରାଜନୈତିକ ଚେତନାର ଏକ ନିଷ୍ଠାବାନ୍ କଣ୍ଠସ୍ୱର ଥିଲେ । ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ସିପ୍ରା ମହାନ୍ତି ଏବଂ ଦୁଇ ଝିଅ ପୂଜା ଏବଂ ବନ୍ଦନା ଅଛନ୍ତି ।
ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ରତି ଭାଇ ଭାବରେ ରାଜ୍ୟର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସେ ବେଶ୍ ଜଣାଶୁଣା ଥିଲେ ।
