Thu. Oct 23rd, 2025

ନ୍ୟୁଜ ଡେକ୍ସ: ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ପ୍ରକଳ୍ପ ଗୁଡିକ ବାସ୍ତବ ସମୟରେ ତଦାରଖ କରାଯାଇ ପାରିବ । ପ୍ରକଳ୍ପଗୁଡିକ ନିର୍ଭୁଲ ଭାବରେ କାର୍ଯ୍ୟକାରୀ ହେବା ସହିତ ଏଥିରେ ଅଧିକ ଦକ୍ଷତା ଆସି ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଯେଉଁ ମନିଟରିଂ ସିଷ୍ଟମ ଥିଲା, ସେଥିରେ ସୂଚନା ଗୁଡିକ ଠିକ୍ ଭାବେ ଆସି ପାରୁନଥିଲା, କାର୍ଯ୍ୟର ଅଗ୍ରଗତି ମନ୍ଥର ହେଉଥିଲା ଏବଂ ତା’ସହିତ ନିଷ୍ପତ୍ତି ନେବାରେ ମଧ୍ୟ ବିଳମ୍ବ ହେଉଥିଲା।ଏହି ଉନ୍ନତ GIS ଡ୍ୟାସବୋର୍ଡ ମାଧ୍ୟମରେ ସମସ୍ତ ପ୍ରମୁଖ ପ୍ରକଳ୍ପଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇ ସାର୍ବଜନୀନ ସମ୍ପତ୍ତି ଏବଂ ଚାଲୁରହିଥିବା ପ୍ରକଳ୍ପଗୁଡ଼ିକର ସଦ୍ୟ ଚିତ୍ର ଦେଖିହେବ । ଜିଲ୍ଲା ଏବଂ ବ୍ଲକସ୍ତରରେ ଥିବା ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ମଧ୍ୟ ସବିଶେଷ ତଥ୍ୟ ଜାଣିହେବ। ଏହା ସହିତ ଏହିସବୁ ପ୍ରକଳ୍ପ ଗୁଡିକ ପାଇଁ ସଠିକ୍ ସ୍ଥାନ ନିରୂପଣ କରିବାକୁ ରାସ୍ତା ଏବଂ ସାଟେଲାଇଟ୍ ମ୍ୟାପ୍ ମଧ୍ୟ ଦେଖିହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେଣୁ ଏହି ବ୍ୟବସ୍ଥାରେ ଅଧିକ ଆର୍ଥିକ ସ୍ୱଚ୍ଛତା ଆସିପାରିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହା ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *