ନ୍ୟୁଜ ଡେକ୍ସ: ଆସନ୍ତା ୨୬ ତାରିଖ ଯାଏ ଆକାଶରୁ ଅଗ୍ନିବର୍ଷା ଜାରି ରହିବ । ଡହଡହ ଖରା ଓ ପ୍ରଚଣ୍ଡ ତାତି ସମସ୍ତଙ୍କୁ କଲବଲ କରିବ । ଗୁରୁବାର ସାଂଘାତିକ ରୂପ ନେଇପାରେ ଗ୍ରୀଷ୍ମ ପ୍ରକୋପ । ଝାରସୁଗୁଡ଼ାରେ ତାତି ପୁଣି ୪୬ ଡିଗ୍ରୀ ଛୁଇଁପାରେ । ଭୀଷଣ ଗ୍ରୀଷ୍ମ ପ୍ରବାହରେ ଛଟପଟ ହୋଇପାରନ୍ତି ଝାରସୁଗୁଡ଼ାବାସୀ ।
ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୪ ଡିଗ୍ରୀ ପାଖାପାଖି ରହିବା ଆଶଙ୍କା ଅଛି । ବୁଧବାର ଝାରସୁଗୁଡାରେ ଦିନ ତାପମାତ୍ରା ୪୫.୪ଡିଗ୍ରୀ ଛୁଇଁଛି। ଟିଟିଲାଗଡ଼ରେ ୪୪ ଡିଗ୍ରୀ ରହିଛି। ଉପକୂଳରୁ ଦକ୍ଷିଣ ଏବଂ ପଶ୍ଚିମରୁ ଉତ୍ତର ସବୁଠି ତାପମାତ୍ରା ବଢ଼ିବା ସହ ଆର୍ଦ୍ରତା ଅଧିକ ରହିବା କାରଣରୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ରାଜ୍ୟର ୧୬ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଛି। ଏହିସବୁ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଲୋକେ ପଦାକୁ ବାହାରିବାକୁ ଡ଼ରୁଛନ୍ତି।
ଅନୁଗୋଳରେ ପାରଦ ୪୨.୯ଡିଗ୍ରୀ ଥିବାବେଳେ ବାରିପଦା ୪୦.୨, ସୁନ୍ଦରଗଡ ଓ ହୀରାକୁଦରେ ୪୩.୪, ସମ୍ବଲପୁର ଓ ବୌଦ୍ଧରେ ୪୩.୮, ତାଳଚେର ୪୨.୪, ଭବାନୀପାଟଣା ୪୨.୫, ବଲାଙ୍ଗିର ୪୩.୭, ସୁବର୍ଣ୍ଣପୁର ୪୩.୨, ପାରଳାଖେମୁଣ୍ଡି ୪୧, ବରଗଡ ୪୨.୨, ନୂଆପଡା ୪୨, ରାଉରକେଲା ୪୨.୪, ଭୁବନେଶ୍ବର ଏବଂ କଟକରେ ୩୭.୬ଡିଗ୍ରୀ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି।
ସୁନ୍ଦରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର ଏବଂ ବରଗଡ଼ ଜିଲାର କିଛି ସ୍ଥାନରେ ପ୍ରବଳ ମାତ୍ରାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
