Thu. Oct 23rd, 2025

ନ୍ୟୁଜ ଡେକ୍ସ: ବାଂଲାଦେଶର ନିର୍ବାସିତ ଲେଖିକା ତସ୍ଲିମା ନସରୀନ କହିଛନ୍ତି ଯେ ‘ଯେଉଁ ପର୍ଯ୍ୟନ୍ତ ବିଶ୍ୱରେ ଇସ୍ଲାମ ଅଛି ସେ ପର୍ଯ୍ୟନ୍ତ ଆତଙ୍କବାଦ ମଧ୍ୟ ରହିବ’। ସେ ପହଲଗାମ କାଣ୍ଡ ଓ ୨୦୧୬ରେ ଢାକା ଆତଙ୍କବାଦୀ କାଣ୍ଡ ମଧ୍ୟରେ ଥିବା ସମାନତାକୁ ନେଇ ଏହା କହିଛନ୍ତି। ତସ୍ଲିମା ନସରୀନଙ୍କ ଟିପ୍ପଣୀ ପହଲଗାମ ଗୁଳିକାଣ୍ଡ ପୃଷ୍ଟ ଭୂମିରେ ଆସିଛି।

କାଶ୍ମୀରର ପହଲଗାମରେ ହୋଇଥିବା ସମ୍ପ୍ରତି ଆତଙ୍କବାଦୀ ଆକ୍ରମଣ ଏବଂ ୨୦୧୬ରେ ଢାକାର ହୋଲି ଆର୍ଟିସାନ ବେକେରୀ ଉପରେ ହୋଇଥିବା ଆକ୍ରମଣକୁ କେନ୍ଦ୍ର କରି ସେ ଏହିଭଳି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୧୪୦୦ ବର୍ଷ ମଧ୍ୟରେ ଇସଲାମ ପରିବର୍ତ୍ତନ ହୋଇନାହିଁ। ଯଦି ଏହା ପରିବର୍ତ୍ତନ ନହୁଏ, ତେବେ ଆତଙ୍କବାଦ ବୃଦ୍ଧି ପାଇବ। ଢାକା ଆକ୍ରମଣରେ ମୁସଲମାନମାନେ କଲମା ପାଠ କରିପାରୁନଥିବାରୁ ସେମାନଙ୍କୁ ହତ୍ୟା କରାଯାଇଥିଲା। ଯେତେବେଳେ ବିଶ୍ୱାସ ମାନବତା ଏବଂ ତର୍କ ଉପରେ ପ୍ରାଧାନ୍ୟ ପାଏ ସେତେବେଳେ ଏହା ଘଟେ।ୟୁରୋପରେ ଚର୍ଚ୍ଚଗୁଡ଼ିକ ସଂଗ୍ରହାଳୟ ପାଲଟିଛି, କିନ୍ତୁ ମୁସଲମାନମାନେ ଏବେ ବି ମସଜିଦ ନିର୍ମାଣ କରୁଛନ୍ତି। ସେମାନଙ୍କ ସ୍କୁଲ ଏବଂ ମଦ୍ରାସାରେ ପିଲାମାନଙ୍କୁ କେବଳ ଗୋଟିଏ ପୁସ୍ତକ ପଢ଼ାଯାଏ।

ଏହା ଉଚିତ୍ ନୁହେଁ। ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରତ୍ୟେକ ପିଲା କେବଳ ଧାର୍ମିକ ଗ୍ରନ୍ଥ ନୁହେଁ, ସମସ୍ତ ପୁସ୍ତକ ପଢ଼ିବା ଉଚିତ। ବାଂଲାଦେଶର ପରିସ୍ଥିତିକୁ ନେଇ ଦୁଃଖ ବ୍ୟକ୍ତକରି ତସ୍ଲିମା ନସରୀନ କହିଛନ୍ତି ଯେ ସେହି ଦେଶରେ ମହିଳାମାନେ ସବୁ ମୌଳିକ ଅଧିକାରରୁ ବଞ୍ଚିତ। ଏହି ଅବସରରେ ନସରୀନ ସମାନ ନାଗରିକ ସଂହିତାର ଓକିଲାତି କରିଛନ୍ତି। ସେ କହିଛନ୍ତି ସବୁ ସଭ୍ୟ ଦେଶରେ ସମାନ ନାଗରିକ ସଂହିତା ରହିବା ଦରକାର, ଭାରତରେ ବି ମୁଁ ଏହାକୁ ସମର୍ଥନ କରୁଛି।

ଇସ୍ଲାମ ମୁନିବମାନେ କୋରାନ ଅନୁସାରେ ଅଧିକାର ଚାହୁଁଛନ୍ତି। ତେବେ ଅଧିକାର କେବେବି ଧାର୍ମିକ ହେବା ଉଚିତ ନୁହେଁ। ଯଦି ସଂସ୍କୃତି, ଧର୍ମ ଅଥବା ପରମ୍ପରା ନାମରେ ମହିଳାଙ୍କ ସୁରକ୍ଷା ସହିତ ବୁଝାମଣା କରାଯାଉଛି ତେବେ ଆମକୁ ସେହି ସଂସ୍କୃତି ଉପରେ ପ୍ରଶ୍ନ ଉଠାଇବା ଦରକାର। ଯେଉଁ ସମାଜ ନିଜ ଅଧା ଜନସଂଖ୍ୟାର ସୁରକ୍ଷା କରି ପାରୁନି ତାହା ଏକ ଅସଫଳ ସମାଜ ବୋଲି ନସରୀନ କହିଛନ୍ତି।

Leave a Reply

Your email address will not be published. Required fields are marked *