ନ୍ୟୁଜ ଡେକ୍ସ: ଶିକ୍ଷା କେବଳ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ଦେବାର ପ୍ରକ୍ରିୟା ନୁହେଁ। ଏହା ସେମାନଙ୍କୁ ଜୀବନ ଦୌଡ଼ ପାଇଁ ପ୍ରସ୍ତୁତ କରିବାର ଏକ ପ୍ରକ୍ରିୟା। ୧୦୦ ବର୍ଷ ଧରି, ଆମର ସ୍କୁଲ କେବଳ ଶ୍ରେଣୀଗୃହର ସମାହାର ନୁହେଁ। ଏହା ଜ୍ଞାନ ଓ ଚରିତ୍ରର ଏକ ପବିତ୍ର ସ୍ଥାନ।
ଆମର ଭବିଷ୍ୟତ ଗଠନର ମୂଳଦୁଆରେ ଥିବା ପ୍ରତ୍ୟେକ ଇଟା ଦୃଢ଼ତାର କାହାଣୀ ଧାରଣ କରିଛନ୍ତି । ଏଥିସହ ସେ ଏହି ଅଂଚଳର ଭିତ୍ତଭୂମି ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ସହିତ ସମୀକ୍ଷା କରିଛନ୍ତି। ସୂଚାନଥାଉକି, ମା’ ତାରାତାରିଣୀ ପୀଠ ଭିତ୍ତିଭୂମି ବିକାଶ ପାଇଁ ସମୁଦାୟ ୬୮ କୋଟି ଟଙ୍କାର ଅର୍ଥ ମଂଜୁର ହୋଇଛି।ମୁଖ୍ୟମନ୍ତ୍ରୀ ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବରେ ଯୋଗଦେବା ପୂର୍ବରୁ ତାରାତାରିଣୀ ପୀଠ ବୁଲି ଦେଖିଥିଲେ ଏବଂ ଏହି ଅଂଚଳର ଉନ୍ନତିକରଣ ପାଇଁ ବିଭିନ୍ନ କାର୍ଯ୍ୟକାରୀ ହେବାକୁ ଭିତ୍ତିଭୂମିର ବିକାଶ ପାଇଁ ସ୍ଥାନୀୟ ଲୋକପ୍ରନିଧିଙ୍କ ସହିତ ଆଲୋଚନା କରିଥିଲେ।
ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବରେ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇ ସେ କହିଥିଲେ ଯେ, ଶିକ୍ଷା କେବଳ ରୋଜଗାରର ମାଧ୍ୟମ ନହେଉ। ଏହା ମାନବିକତା ବା ମଣିଷ ତିଆରି ମନ୍ଦିର ହେଉ। ଶିକ୍ଷାକୁ ସଠିକ ମାର୍ଗରେ ଉପଯୋଗ କରାଯାଉ। ଆଜି ଆମ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ଅନେକ ପିଲା ପାଠ ପଢିବା ପରେ ନିଜ ଜ୍ଞାନ ଗରିମାକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଲଗେଇ ନିଜ ଭବିଷ୍ୟତକୁ ଧ୍ବଂସ କରୁଛନ୍ତି।
ହେଲେ ଆମେ ଯୁଦ୍ଧ ନୁହେଁ, ବୁଦ୍ଧ ଚାହୁଁ। ଆମେ ଜିହାଦ ନୁହେଁ, ଜଗନ୍ନାଥ ଚାହୁଁ। ଏଣୁ ଆମେ ପାଠ ପଢି ନିଜର, ନିଜ ପରିବାରର, ନିଜ ଗାଁର ଯଶ କୀର୍ତ୍ତି ବଢ଼େଇବା ସହ ଆମ ମାଟି ମାଆର ଶୌର୍ଯ୍ୟ ଓ ସମ୍ମାନ ପାଇଁ ନିଜକୁ ସମର୍ପିତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
