Thu. Oct 23rd, 2025

ନ୍ୟୁଜ ଡେକ୍ସ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେଉଥିବା ପି. ଏମ୍. ଜନମନ୍ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି । ଏହି ବୈଠକରେ ଉପସ୍ଥିତ ସମସ୍ତ ସଚିବମାନଙ୍କୁ ରାଜ୍ୟର ୧୪ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର ପ୍ରତ୍ୟେକ ଦୁର୍ଗମ ଅଂଚଳକୁ ପରିଦର୍ଶନରେ ଯାଇ ସେଠାକାର ପରିସ୍ଥିତି ପରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାପାଳମାନେ ଓ ଜିଲ୍ଲାସ୍ତରରେ କାର୍ଯ୍ୟକରୁଥିବା ବିଭାଗୀୟ ଅଧିକାରୀମାନେ ମଧ୍ୟ ଚିହ୍ନଟ ହୋଇଥିବା ପ୍ରତ୍ୟେକ ଗ୍ରାମ ଓ ଜନବସତିକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ପି. ଏମ୍. ଜନମନ୍ ଯୋଜନାରେ ଓଡ଼ିଶାର ୧୪ଟି ଜିଲ୍ଲାର ୫୫ଟି ବ୍ଲକ, ୧୭୫୧ ଟି ଗ୍ରାମ/ ଜନ ବସତି, ୨୮୯ଟି ଗ୍ରାମ ପଂଚାୟତ ଏବଂ ୨ ଟି ପୌର ପ୍ରଶାସିତ ଅଂଚଳ ଅନ୍ତର୍ଭୁକ୍ତ ଥିବା ବେଳେ ସମୁଦାୟ ୬୮,୬୦୫ଟି ପରିବାରର ୩,୧୪,୫୧୪ ଲୋକ ଏହି ଯୋଜନାର ସୁଫଳ ପାଇବେ। ୨୦୨୬ ବର୍ଷ ଶେଷ ସୁଦ୍ଧା ୪୫,୪୦୮ଟି ଘର , ଗ୍ରାମ୍ୟ ଉନ୍ନୟନ ବିଭାଗ ପାଖରୁ ପ୍ରାୟ ୨୧୦ କିଲୋମିଟରର ପକ୍କା ସଡକ, ୧୬୪୬ ଟି ଗ୍ରାମକୁ ଟ୍ୟାପ୍ ଯୋଗେ ଜଳ ଯୋଗାଣ, ୩୫୧ଟି ଅଂଚଳରେ ମୋବାଇଲ ଟାୱାର ସଂଯୋଗୀକରଣ, ୪୦୫ଟି ଅଂଚଳର ଛାତ୍ର ଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ, ୭୪ଟି ବହୁମୁଖୀ କେନ୍ଦ୍ର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ଏବଂ ବିଭିନ୍ନ ବିଭାଗର ଶାସନ ସଚିବମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *