ନ୍ୟୁଜ ଡେକ୍ସ: ବୁଧବାର ସନ୍ଧ୍ୟାରେ ଏୟାର ଇଣ୍ଡିଗୋ ବିମାନରେ କୁଆପଥର ମାଡ ପରେ ନୋଜ୍ କୋନ୍ ଭାଙ୍ଗିଯିବା ଘଟଣାରେ ସାମ୍ନାକୁ ଆସିଛି ଏକ ଅଜବ ଖବର । ଏୟାରଲାଇନ୍ସ ଅନୁଯାୟୀ, ଶ୍ରୀନଗର ନିକଟରେ ହଠାତ୍ ଏବଂ ତୀବ୍ର ପାଗର ସମ୍ମୁଖୀନ ହୋଇଥିଲା, ଯାହା ପରେ ପାଇଲଟ ଅସୁବିଧାକୁ ଏଡାଇବା ପାଇଁ ପାକିସ୍ତାନୀ ବିମାନ ମାର୍ଗରେ କିଛି ସମୟ ପାଇଁ ପ୍ରବେଶ କରିବାକୁ ଲାହୋର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ଠାରୁ ଅନୁମତି ମାଗିଥିଲେ ।
ଯାହାକୁ ସେ ସଫା ସଫା ମନା କରିଦେଇଥିଲେ । ଏମିତି ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ସୂଚନା ଥାଉକି, ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ବିମାନ ବର୍ଷା ଓ କୂଆପଥର ମାଡ଼ ଯୋଗୁଁ ମଝି ଆକାଶରେ ଟଳମଳ ସ୍ଥିତିରେ ଥିଲା । ସ୍ଥିତି ଏମିତି ହୋଇଥିଲା କି, ୨୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନର ଦୁର୍ଘଟଣା ଆଶଙ୍କା ଦେଖାଦେଇଥିଲା । ବିମାନ ହଠାତ୍ ଝଡ଼ତୋଫାନର ସମ୍ମୁଖୀନ ହେବାରୁ ଦିଲ୍ଲୀ-ଶ୍ରୀନଗର ବିମାନ ପରିଚାଳନା କରୁଥିବା ଜଣେ ଇଣ୍ଡିଗୋ ପାଇଲଟ୍ ପାକିସ୍ତାନ ଏୟାରସ୍ପେସ୍କୁ ବ୍ୟବହାର କରିବା ପାଇଁ ଲାହୋର ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଅନୁମତି ମାଗିଥିଲେ ।ପାକିସ୍ତାନ ଆକାଶପଥ ବ୍ୟବାହର କରି ଝଡ଼ ବର୍ଷାକୁ ଏଡ଼ାଇହେବ ବୋଲି କହିଥିଲେ । କିନ୍ତୁ, ଏ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା ପାକିସ୍ତାନ । ଗୁରୁବାର ଏନେଇ ପିଟିଆଇ ସୂଚନା ଦେଇଛି । ପୂରା ଘଟଣା ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DFCA) ତଦନ୍ତ କରୁଛି ।
କହିବାକୁ ଗଲେ ବିମାନରେ ତୃଣମୂଳ କଂଗ୍ରେସ ସାଂସଦ ସାଗରିକା ଘୋଷଙ୍କ ସମେତ ୨୨୦ ରୁ ଅଧିକ ଯାତ୍ରୀ ଥିଲେ । ଅନୁମତି ନ ମିଳିବାରୁ, ବିମାନଟି ଏହାର ଉଡ଼ାଣ ପଥ ବଜାୟ ରଖିଥିଲା । ପାକିସ୍ତାନର ପ୍ରତ୍ୟାଖ୍ୟାନ ପରେ ପାଇଲଟ୍ ଶ୍ରୀନଗର ବିମାନବନ୍ଦରରେ ବିମାନ ଟ୍ରାଫିକ୍ ନିୟନ୍ତ୍ରଣକୁ ‘ଜରୁରୀକାଳୀନ’ ସୂଚନା ଦେଇଥିଲେ । ବିମାନବନ୍ଦର କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି ଯେ ବିମାନଟିକୁ ଏୟାରକ୍ରାଫ୍ଟ ଅନ୍ ଗ୍ରାଉଣ୍ଡ (AOG) ମାନ୍ୟତା ଦିଆଯାଇଛି, ଯାହାର ଅର୍ଥ ହେଉଛି ମରାମତି ଏବଂ ସୁରକ୍ଷା କ୍ଲିୟରାନ୍ସ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଏହା ବର୍ତ୍ତମାନ ଉଡ଼ାଣ ପରିଚାଳନା ପାଇଁ ଅନୁପଯୁକ୍ତ ।
