ନ୍ୟୁଜ ଡେକ୍ସ: ଆସନ୍ତା ୧୮ ତାରିଖରୁ ସ୍କୁଲ ଖୋଲିବ । ସ୍କୁଲ ଖୋଲିବା ପୂର୍ବରୁ ମଧ୍ୟାହ୍ନ ଭୋଜନକୁ ନେଇ ସତର୍କ ହୋଇଛି ରାଜ୍ୟ ପିଏମ୍ ପୋଷଣ ୟୁନିଟ୍ । ଶିଶୁବାଟିକାରୁ ଦଶମ ଶ୍ରେଣୀ ଯାଏ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ । ଏଣିକି ନିୟମିତ ଭାବେ ଅଭିଭାବକମାନେ ମଧ୍ୟାହ୍ନ ଭୋଜନ ଖାଇ ମାନ ପରଖିବେ । ଯେପରି ପିଲାଙ୍କ ମଧ୍ୟାହ୍ନ ଭୋଜନର ଗୁଣବତ୍ତାରେ ହ୍ରାସ ନ ହୁଏ ସେଥିଲାଗି ଧ୍ୟାନ ଦିଆଯିବ ।
ଏଥିସହ ରୋଷେଇ ସାମଗ୍ରୀର ଏକ୍ସପାରୀ ତାରିଖଠୁ ଆରମ୍ଭ କରି ଏହାର ମାନକୁ ମଧ୍ୟ ଯାଞ୍ଚ କରିବେ ପ୍ରଧାନଶିକ୍ଷକ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅନେକ ସମୟରେ ମଧ୍ୟାହ୍ନ ଭୋଜନ ରୋଷେଇରେ ଅସାବଧାନତା ଅବଲମ୍ବନ କରାଯାଉଛି।
ଏହାର ପ୍ରୋଟୋକଲ ଅନୁସରଣ କରାଯାଉନାହିଁ। ଖାଦ୍ୟର ମାନ ଠିକ୍ ରହୁନାହିଁ। ଅନେକ ସମୟରେ ଖରାପ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି। ତେଣୁ ଏହାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଅଣ୍ଟା ଭିଡ଼ିଛି ବିଭାଗ। ସ୍କୁଲ ଖୋଲିବାର ପ୍ରଥମ ଦିନରେ ଯେପରି କୌଣସି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ନହୁଅନ୍ତି ସେଥିଲାଗି ଧ୍ୟାନ ଦେବାକୁ ତାଗିଦ୍ କରାଯାଇଛି।

