ନ୍ୟୁଜ ଡେକ୍ସ: ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ପାଳନ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ଅପରାହ୍ନ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହା ପରେ ପ୍ରଧାନମନ୍ତ୍ରୀ ଜନତା ମଇଦାତରେ ଆୟୋଜିତ ମେଗା ସୋ ଅଭିମୁଖେ ବାହାରିଛନ୍ତି। ସେ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଶୁଭାରମ୍ଭ ଆରମ୍ଭ କରିଛନ୍ତି ।
ଏଥିସହ ଭିଜନ ଡକୁମେଣ୍ଟ ‘ଓଡିଶା ଭିଜନ ୨୦୩୬ ଓ ୨୦୪୭’ ଉନ୍ମୋଚିତ କଲେ ପ୍ରଧାନମନ୍ତ୍ରୀ ।ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ଓଡ଼ିଶାର ବରପୁତ୍ରମାନଙ୍କର ଜନ୍ମସ୍ଥଳୀର ବିକାଶ କରାଯିବ। ଏହି ଯୋଜନା ଅନୁଯାୟୀ, ପ୍ରତ୍ୟେକ ଐତିହ୍ୟ ଗ୍ରାମ ପାଇଁ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସମ୍ପୂର୍ଣ୍ଣ ଯୋଜନାରେ ପ୍ରାୟ ୧୯ ହଜାର କୋଟି ଟଙ୍କା ବିନିଯୋଗ ହେବ।
ଏହି ଯୋଜନାରେ ବରପୁତ୍ର ମାନଙ୍କ ଜନ୍ମସ୍ଥଳୀରେ ପୂର୍ବ ପୁରୁଷଙ୍କର ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ କରିବା,ପ୍ରତିମୂର୍ତ୍ତି ସ୍ଥାପନା କରିବା, ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା କରିବା, ଶିଶୁ ଉଦ୍ୟାନ, କାରୁକଳା ଓ ପାକଶାଳା ଷ୍ଟଲ୍ ଇତ୍ୟାଦି ନିର୍ମାଣ, ଗ୍ରନ୍ଥାଗାର ନିର୍ମାଣ, ସମ୍ମିଳନୀ କକ୍ଷ, ଖୋଲା ଆକାଶ ନାଟ୍ୟମଞ୍ଚ ଇତ୍ୟାଦିର ନିର୍ମାଣ ଆଦି ପଦକ୍ଷେପ ନିଆଯାଇ ସେମାନଙ୍କ ଗ୍ରାମକୁ ଐତିହାସିକ ସାଂସ୍କୃତିକ ସ୍ମୃତିସ୍ଥଳ ଏବଂ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବାର ଲକ୍ଷ୍ୟ ରଖାଯାଇଛି । ସେପଟେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିମାନବନ୍ଦରଠାରୁ ଜନତା ମଇଦା ଯାଏ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ଅଧିକାରୀଙ୍କ ନିୟୋଜିତ କରାଯାଇଛି।
