Thu. Oct 23rd, 2025

ନ୍ୟୁଜ ଡେକ୍ସ: ସବୁ ପ୍ରତୀକ୍ଷାର ଅନ୍ତ। ବଡ଼ଦାଣ୍ଡରେ ଭକ୍ତ ଭଗବାନଙ୍କର ହେଲା ଅପୂର୍ବ ମିଳନ। ଶ୍ରୀମନ୍ଦିରରୁ ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି। ଚାହିଁ ରହିଛନ୍ତି ଭକ୍ତ। ଭକ୍ତି ସାଗରରେ ବୁଡ଼ିଲା ବଡ଼ଦାଣ୍ଡ। ଘଣ୍ଟଘଣ୍ଟା, ହୁଳହୁଳି, ହରିବୋଲ ନାଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ। ଜୟ ଜଗନ୍ନାଥ ଧ୍ଵନିରେ କମ୍ପଲା ଗଗନପବନ। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମଣିମା।

ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା, ଯାହା ନିର୍ଦ୍ଦାରିତ ସମୟରେ ପୂରଣ ହୋଇଛି। ବର୍ତ୍ତମାନ ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ବାହାରିବା ପାଇଁ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ସେପଟେ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶୁକ୍ରବାର ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହୋଇଛି। ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପ ଲାଗି, ରୋଷହୋମ ଓ ୭ଟାରେ ଅବକାଶ ପରେ ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଏବଂ ବେଶ ଶେଷ କରାଯିବ।

ସେହିପରି ସକାଳ ୮ଟାରୁ ୯ଟା ଯାଏଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡି ଭୋଗ) ନୀତି ପରେ ୯ଟା ୧୫ରେ ମଙ୍ଗଳାର୍ପଣ କରାଯାଇଛି। ଏହାପରେ ପ୍ରାୟ ୯.୩୦ ପରେ ଶ୍ରୀଜିଉମାନଙ୍କର ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା । ପ୍ରଥମେ ଗୋଟି ପହଣ୍ଡି ଆଉ ପରେ ଧାଡି ପହଣ୍ଡି କରି ରତ୍ନବେଦୀ ଛାଡି ରଥାରୂଢ ହୋଇଥିଲେ ଚାରି ଠାକୁର । ଏହାପରେ ପ୍ରାୟ ୨.୩୦ ବେଳକୁ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ପରେ ଅପରାହ୍ଣ ୪ଟା ବେଳକୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *