ନ୍ୟୁଜ ଡେକ୍ସ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ଟିଟିଲାଗଡ଼ ଆର ଆଣ୍ଡ ବି ସବ୍-ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଦିଲେଶ୍ୱର ମାଝୀ । ଆୟଠୁ ଅଧିକ ସମ୍ପତ୍ତି ଜମା କରିବା ଅଭିଯୋଗରେ ଗୁରୁବାର ଦିଲେଶ୍ୱର ମାଝୀଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ ।
ଏହି ଚଢ଼ାଉରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଥିଲେ ।ସମ୍ବଲପୁର ସହର (ସରଲା)ରେ ୪୫୦୦ ବର୍ଗଫୁଟରୁ ଅଧିକ ଜାଗାରେ ଏକ ଦୁଇ ମହଲା କୋଠା ଥିବା ବେଳେ ତଳ ମହଲାରେ ତାଙ୍କ ପତ୍ନୀ ଏକ ବିୟୁଟି ପାର୍ଲର ଖୋଲିଛନ୍ତି।ଝାରସୁଗୁଡ଼ାର ବ୍ରଜରାଜନଗର ୟୁନିଟ୍-୨ର ଗଣ୍ଡାଘୋରା ମୌଜାରେ ୬୩୦୦ ବର୍ଗଫୁଟରୁ ଅଧିକ ଜାଗାରେ ଆଉ ଏକ ଦୁଇ ମହଲା କୋଠା ଏବଂ ଲହଣ୍ଡାପୁରରେ ଆଉ ଦୁଇଟି ବଙ୍ଗଳା ରହିଛି। କେବଳ ଏତିକି ନୁହେଁ ୟୁନିଟ୍-୨ରେ ୪ଟି ଦୋକାନ ସହିତ ୯୦୦ ବର୍ଗଫୁଟରୁ ଅଧିକ ଜାଗାରେ ଏକ ମାର୍କେଟ୍ କମ୍ପ୍ଲେକ୍ସ ମଧ୍ୟ ରହିଛି।୯ଟି ଦାମୀ ପ୍ଲଟ ରହିଛି।
ଯାହାକି ସମ୍ବଲପୁର, ଝାରସୁଗୁଡ଼ାର ବ୍ରଜରାଜନଗର ଏବଂ ବଡ଼ମାଲରେ ଗୋଟିଏ ଲେଖାଏଁ ଥିବା ବେଳେ ସମ୍ବଲପୁର ରେ ୬ଟି ପ୍ଲଟ ରହିଛି।ବେଡ଼ରେ କରିଥିବା ସିକ୍ରେଟ୍ ଚାମ୍ବରରୁ ନଗଦ ୬,୫୭,୫୦୦ ଟଙ୍କା ଜବତ ହୋଇଛି। ଏଥିସହ ୩୦୦ ଗ୍ରାମ ସୁନା ମଧ୍ୟ ଜବତ କରାଯାଇଛି।ଏସମସ୍ତ ସମ୍ପତ୍ତିର ହିସାବ ଦେଇପାରି ନଥିବାରୁ ଆଜି ତାଙ୍କୁ ଗିରଫ କରାଯାଇଛି ।
