ନ୍ୟୁଜ ଡେକ୍ସ : ଆଉ ନାହିଁ ସବୁ ଶ୍ରେଣୀରେ ପାସ୍ ବ୍ୟବସ୍ଥା । ବଦଳିଲା ସ୍କୁଲ ପରୀକ୍ଷା ନିୟମ । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହେଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ନୂତନ ନିୟମ ଅନୁସାରେ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ପୁଣି ପରୀକ୍ଷା ଦେବାର ସୁଯୋଗ ମିଳିବ।
୨ ମାସ ମଧ୍ୟରେ ପୁନଃ ପରୀକ୍ଷା ପାଇଁ ସୁଯୋଗ ଦେବେ ସ୍କୁଲ କର୍ତ୍ତୃପକ୍ଷ । ଯଦି ପାସ୍ କଲେ ଉତ୍ତୀର୍ଣ୍ଣ, ଫେଲ୍ ହେଲେ ଉକ୍ତ ଶ୍ରେଣୀରେ ହିଁ ପଢ଼ିବେ ।ଏହି ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ସକ୍ଷମ କରିବାକୁ ଚେଷ୍ଟା କରାଯିବ । ପରବର୍ତ୍ତୀ ଶ୍ରେଣୀକୁ ଯିବା ପୂର୍ବରୁ ଛାତ୍ରଟିଏ ଯେପରି ତାହାର ମୌଳିକ ଶିକ୍ଷାସ୍ତର ହାସିଲ୍ କରିପାରିବ ସେ ନେଇ ପ୍ରୟାସ କରାଯାଇଛି ।ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏବେ ବାର୍ଷିକ ପରୀକ୍ଷା ଦେବାକୁ ପଡ଼ିବ । ଯଦି କୌଣସି ପିଲା ଏହି ପରୀକ୍ଷାରେ ବିଫଳ ହୁଏ, ତେବେ ଫଳାଫଳ ଘୋଷଣାର ଦୁଇ ମାସ ମଧ୍ୟରେ ପୁନଃପରୀକ୍ଷା ପାଇଁ ସୁଯୋଗ ପ୍ରଦାନ କରାଯିବ । ପୁନଃପରୀକ୍ଷା ପରେ ମଧ୍ୟ ଆବଶ୍ୟକୀୟ ପଦୋନ୍ନତି ମାନଦଣ୍ଡ ପୂରଣ କରିବାରେ ବିଫଳ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ସମାନ ଶ୍ରେଣୀରେ ରଖାଯାଇପାରିବ ।
ସଂଶୋଧନ ମାଧ୍ୟମରେ ସ୍ପଷ୍ଟ କରାଯାଇଛି ଯେ ପ୍ରାଥମିକ ଶିକ୍ଷା ସମାପ୍ତ ନହେବା ପର୍ଯ୍ୟନ୍ତ କୌଣସି ପିଲାଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯିବ ନାହିଁ ।ଏହି ସଂଶୋଧନ ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ ର ଧାରା ୩୮ ସହିତ ସମନ୍ୱିତ । ଏହା ଓଡ଼ିଶା ଗେଜେଟରେ ପ୍ରକାଶିତ ହେବା ପରେ କାର୍ଯ୍ୟକାରୀ ହେବ ।
