ନ୍ୟୁଜ ଡେକ୍ସ : ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET) ସ୍ଥଗିତ ହୋଇଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରୀକ୍ଷା ଆଜି ହେବାର ଥିଲା, କିନ୍ତୁ ଅନିବାର୍ଯ୍ୟ କାରଣବଶତଃ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇଟି ସିଟିଂରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା ।
ସକାଳ ୯ ଟାରୁ ସାଢ଼େ ୧୧ ଟା ପେପର ୧ ଓ ଦିନ ୨ ଟାରୁ ସାଢ଼େ ୪ ଟା ପେପର ୨ ପରୀକ୍ଷା ହୋଇଥାନ୍ତା। ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହୋଇଥାନ୍ତା । ୭୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଦେଇଥାନ୍ତେ ଏହି ପରୀକ୍ଷା । ପେପର୍-୧ ଓ ପେପର୍-୨ ଦୁଇଟି ପେପରରେ ପରୀକ୍ଷା ହୋଇଥାନ୍ତା । ତେବେ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିବ ବୋର୍ଡ । ତେବେ ପ୍ରଶ୍ନପତ୍ର ଲିକ୍ କାରଣରୁ ସ୍ବତନ୍ତ୍ର OTET ପରୀକ୍ଷା ସ୍ଥଗିତ ହୋଇଥିବା ସୂଚନା ରହିଛି ।
ପରୀକ୍ଷା ଆଗରୁ ବିଭିନ୍ନ ସୋସିଆଲ୍ ମିଡିଆରେ ହାତ ଲେଖା ପ୍ରଶ୍ନ ବୁଲିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଘୋଷଣା ପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନେକ ପରୀକ୍ଷାର୍ଥୀ ଦୀର୍ଘ ଦିନ ଧରି ପ୍ରସ୍ତୁତି ନେଇଥିବାରୁ ଏହି ସ୍ଥଗିତକରଣ ନିଷ୍ପତ୍ତିକୁ ନେଇ ନିରାଶା ବ୍ୟକ୍ତ କରିଛନ୍ତି। ଜଣେ ପରୀକ୍ଷାର୍ଥୀ କହିଛନ୍ତି, “ଆମେ ମାସ ମାସ ଧରି ପଢ଼ିଛୁ, ଏବେ ହଠାତ୍ ପରୀକ୍ଷା ସ୍ଥଗିତ ହେବା ଆମ ପାଇଁ ନିରାଶାଜନକ। ସରକାର ଆମକୁ ନୂଆ ତାରିଖ ଶୀଘ୍ର ଜଣାଇବା ଉଚିତ।”
