ନ୍ୟୁଜ ଡେକ୍ସ : ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ । ଗୁରୁବାର ୪ ଟି ଗେଟ୍ ଖୋଲା ଯାଇଥିବା ବେଳେ ଶୁକ୍ରବାର ଆଉ ୪ ଟି ଗେଟ୍ ଖେଲା ଯାଇଛି । ବର୍ତ୍ତମାନ ମୋଟ୍ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଡ୍ୟାମ୍ର ବାମ ପାର୍ଶ୍ୱର ୮ଟି ଓ ଡାହାଣ ପାର୍ଶ୍ୱର ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ଶୁକ୍ରବାର ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୯.୧୭ ଫୁଟ୍ ରହିଥିଲା ।
ସୂଚନାଥାଉକି, ୧୫ ଜିଲ୍ଲାର ୪୩ ବ୍ଲକ୍ରେ ୫୦ ମିଲିମିଟର ଠାରୁ ଅଧିକ ବର୍ଷା ହୋଇଛି । ଆଜି ଠାରୁ ବଢ଼ିବ ନଦୀ ଗୁଡ଼ିକର ଜଳସ୍ତର । ତଳିଆ ଅଞ୍ଚଳରେ ଅଧିକ ପାଣି ଜମିବା ନେଇ ସତର୍କ ରହିବାକୁ କୁହାଯାଇଛି । ସତର୍କ କରିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ସ୍ଥିତି ଦେଖି ଅଧିକ ଗେଟ୍ ଖୋଲାଯିବ ବୋଲି ସେ କହିଛନ୍ତି ।ଗୁରୁବାର ସୁଦ୍ଧା ମୋଟ୍ ୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା। ବର୍ତ୍ତମାନ ସମସ୍ତ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଛି ।ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଅବପାତ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆସନ୍ତା ୨୮ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବା ନେଇ ସତର୍କ ସୂଚନା ଦିଆଯାଇଛି ।
କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।ଏପଟେ ଆଜି ମୟୂରଭଞ୍ଜ ଓ କେନ୍ଦୁଝରରେ ଅତି ଭୀଷଣ ବର୍ଷା ସମ୍ଭାବନାଥିବାରୁ ଏହି ଦୁଇ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
