ନ୍ୟୁଜ ଡେକ୍ସ : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଓ ରାଜକନିକା ଥାନା ଅନ୍ତର୍ଗତ ବଡ଼ ଆଙ୍କୋ ଓ ଜୟନଗର ଅଞ୍ଚଳର ୪ ଯୁବକ ସୁଦୂର ଲାଓସକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହୋଇଛନ୍ତି l ଏ ନେଇ ଏକ ଭିଡିଓ ମାଧ୍ୟମରେ ସେମାନେ ଘରକୁ ବାର୍ତ୍ତା ପଠାଇବା ପରେ ପରିବାର ଲୋକେ ଆତଙ୍କିତ ହୋଇ ସେମାନଙ୍କ ମୁକ୍ତି ଲାଗି ସରକାରଙ୍କ ନିକଟରେ ନିବେଦନ କରିଛନ୍ତି l
ତେବେ ସୂଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଲାର ୪ ଜଣ ଓଡିଆ ବିଦେଶକୁ କାମ କରିବାକୁ ଯାଇଥିଲେ । ଠିକାଦାର ମିଛ କଥା କହି ଅଧିକ ରୋଜଗାରର ଲୋଭ ଦେଖାଇ ସେଠାକୁ ନେଇଗଲା । ସେଠାରେ କିନ୍ତୁ ଏବେ ସେମାନେ ନାନା ନିର୍ଯାତନା ସହୁଥିବା ସେମାନେ କହିଛନ୍ତି । ୪ଜଣ ଯୁବକ ଲାଓସକୁ ଅଧିକ ଅର୍ଥ ଉପାର୍ଜନ ଆଶାରେ ଯାଇଥିଲେ । ପ୍ରଥମ ମାସ ସେମାନଙ୍କୁ ସଠିକଭାବେ ଟଙ୍କା ମିଳିଲା । ଏହାପରେ କିନ୍ତୁ ଆଉ ସେମାନଙ୍କୁ ଟଙ୍କା ଦିଆଗଲା ନାହିଁ । ୫ ମାସ ଟଙ୍କା ବକେୟା ରହିବା ପରେ ଯୁବକମାନେ ସେମାନଙ୍କ ପ୍ରାପ୍ୟ ମାଗିଥିଲେ ।
ମାତ୍ର ସେମାନଙ୍କୁ ଟଙ୍କା ଦିଆଯାଇନାହିଁ ।ଇଛା ଅଛି ଯଦି କାମ କର ନହେଲେ ଯାହା କରିବା କଥା କର ବୋଲି ଓଡିଆ ଶ୍ରମିକଙ୍କୁ ସେଠାକାର ମାଲିକ କହିଛନ୍ତି । ଟହ୍କା ପାଇଁ ଜିଦ ଧରିଲେ ସେମାନଙ୍କୁ ଗାଳିଗୁଲଜ ଦିଆଯାଇଥିବା ଅଭିଯୋଗ ହୋଇଛି । ଏଭଳି ଖରାପ ଅବସ୍ଥାରେ ଯୁବକମାନେ ଗତି କରୁଥିବାବେଳେ ସେମାନଙ୍କୁ ଫେରାଇ ନେବା ପାଇଁ ସରାକରଙ୍କୁ ଅନୁରୋଧ କରାଯାଇଛି ।
