ନ୍ୟୁଜ ଡେକ୍ସ : ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ଜାଲରେ ପଡିଛି ବଡ ମାଛ । ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ । ପୂର୍ବରୁ ମାମଲାରେ ୭ଜଣ ଗିରଫ ହୋଇ ସାରିଛନ୍ତି । ଏବେ ବୋର୍ଡ ଉପସଭାପତିଙ୍କ ଗିରଫଦାରିକୁ ନେଇ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଦେଇଛନ୍ତି ବଡ ସୂଚନା ।
ତେବେ ପୂର୍ବରୁ ଗତ କିଛି ଦିନ ହେବ ନିହାରଙ୍କ ଉପରେ ସନ୍ଦେହ ଘନୀଭୂତ ହୋଇଥିଲା । ତାଙ୍କ ଗିରଫ ପାଇଁ ମଧ୍ୟ ଅନେକ ଦାବି ଉଠିଥିଲା । ଏହାକୁ ନେଇ କ୍ରାଇମବ୍ରାଞ୍ଚ ସ୍କାନରରେ ରହିଥିଲେ ନିହାର । ଶନିବାର କ୍ରାଇମବ୍ରାଞ୍ଚ ତାଙ୍କୁ ଡାକି ବହୁ ସମୟ ଜେରା କରି ଅନେକ ବିଷୟରେ ପ୍ରଶ୍ନ କରିଥିଲା । ଯେଉଁଥିରେ ସତ ଉଗାରିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ଯାହାପରେ ଆଜି ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ପୂର୍ବରୁ ଏହି ମାମଲାର ଛାନଭିନ୍ କରି କ୍ରାଇମବ୍ରାଞ୍ଚ ଟିମ୍ ୭ ଜଣଙ୍କୁ ଗିରଫ କରି ସାରିଛି ।
ଏଥିସହିତ ଏହି ମାମଲାରେ ଏବେ ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ଅନୁଯାୟୀ, ତଦନ୍ତରୁ ଜଣାପଡିଛି ଯେ ପ୍ରଶ୍ନପତ୍ର ଲିକ୍ ପ୍ରକ୍ରିୟା ପରୀକ୍ଷା ବୋର୍ଡ ସହିତ କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କ ମାଧ୍ୟମରେ ଜିତନ୍ ମହାରଣାଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ, ଡାଟା ଏଣ୍ଟ୍ରି ଅପରେଟର ଜିତନ୍ ମହାରଣା ଲିକ୍ ଘଟଣାରେ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିଥିବା କହିଛନ୍ତି ଡିଜି । ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣାଙ୍କ ସହ ବୋର୍ଡ ଉପସଭାପତିଙ୍କ ସମ୍ପର୍କ ରହିଛି ।
ପ୍ରାୟ ୨/୩ ମାସ ଭିତରେ ଉଭୟେ ୧୦୦ ଥର କଥା ହୋଇଛନ୍ତି । ହେଲେ ପରୀକ୍ଷା ପରିଚାଳନାରେ ଜିତନଙ୍କର କୌଣସି ଭୂମିକା ନ ଥିଲା । ଏହା ସତ୍ତ୍ବେ ବି ପରୀକ୍ଷା ପରିଚାଳନାରେ ସମ୍ପୃକ୍ତ ନ ଥିବା ବ୍ୟକ୍ତିଙ୍କ ସହ ଏତେ ଥର ଉପସଭାପତି କଥା କାହିଁକି ହୋଇଥିଲେ ତାହା ସନ୍ଦେହ ସୃଷ୍ଟି କରିଥିଲା ।
