ନ୍ୟୁଜ ଡେକ୍ସ: ରାଜ୍ୟରେ ଏବେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। ଅକ୍ଟୋବର ୬ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଥାଇଲାଣ୍ଡରେ ମଧ୍ୟ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। କିନ୍ତୁ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବନି। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି। ଅକ୍ଟୋବର ୨ ତାରିଖରେ ପଶ୍ଚିମବଙ୍ଗର ଉତ୍ତରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପରବର୍ତ୍ତୀ ତିନିଦିନରେ ବାଂଲାଦେଶ ଓ ଉତ୍ତର ପୂର୍ବ ଭାରତରେ ବର୍ଷା ସମ୍ଭାବନା ଅଛି। ଅକ୍ଟୋବର ୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାକୁ ମୁହାଁଇ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରରେ ବର୍ଷା କରାଇପାରେ। ତେବେ ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ। ୪ ତାରିଖ ପରେ ପୁଣି ବର୍ଷାର ପରିମାଣ ବଢିପାରେ ବୋଲି ପୂର୍ବାନୁମାନ କରାଯାଇଛି।
ସୂଚନା ଥାଉକି, ଚଳିତ ମୌସୁମୀରେ ରାଜ୍ୟରେ ଜୁନ୍ ୧ରୁ ବର୍ତ୍ତମାନ ସୁଦ୍ଧା ୧୦୯୦.୮ ମିମି ବର୍ଷା ହୋଇଛି, ଯାହା ସ୍ବାଭାବିକ ବର୍ଷା ୧୧୪୪.୩ ମିମିଠାରୁ ୫ ପ୍ରତିଶତ ନିଅଣ୍ଟିଆ ରହିଛି। ବର୍ତ୍ତମାନ ସୁଦ୍ଧା ୨ଟି ଜିଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ସେହିପରି ୨୪ ଜିଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବାବେଳେ ୪ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ସୂଚନା ଦିଆଯାଇଛି।