ନ୍ୟୁଜ ଡେକ୍ସ : ଭୁବନେଶ୍ୱର ଦୟାନଦୀରେ ଅଘଟଣା। ଧଉଳି ଥାନା ନୂଆଗାଁ ଡାଲଖାଇ ଘାଟରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ନାବାଳକ । ଜଣେ ନାବାଳକ ପହଁରି ପହଁରି କୂଳରେ ପହଞ୍ଚିବା ବେଳେ ଦୁଇ ଜଣ ନିଖୋଜ ହୋଇଯାଇଥିଲେ। ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ଟିମ୍ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ।
ନଦୀ ଭିତରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଜଣେ ଏବେ ବି ନିଖୋଜ ଅଛନ୍ତି।ସୂଚନାଥାଉକି, ୨ ଜଣ ଛାତ୍ର ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ମୃତ ଛାତ୍ର ସୁନ୍ଦରପଦାର ଅଭୟ କୁମାର ସ୍ବାଇଁ । ନିଖୋଜ ଛାତ୍ର ବିଜେବି ନଗରର ଶୁଭମ ପ୍ରଧାନ ।ଖବରମୁତାବକ, ୪ ଜଣ ଛାତ୍ର ସାଙ୍ଗ ହୋଇ ଦୟାନଦୀ ନୂଆଗାଁ ଉପରସାହି ଘାଟକୁ ଗାଧୋଇବାକୁ ଯାଇଥିଲେ ।
ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ର ନଦୀ ଭିତରକୁ ଯାଇଥିଲେ । ପାଣିର ପ୍ରଖର ସ୍ରୋତରେ ଛାତ୍ର ୩ ଜଣ ଭାସି ଯାଉଥିବାବେଳେ ଜଣେ ଛାତ୍ର ପହଁରି ପହଁରି କୂଳକୁ ପଳାଇ ଆସିଥିଲେ । ଅନ୍ୟ ୨ ଜଣ ଭାସି ଯାଇଥିଲେ ।
