Sat. Feb 21st, 2026

ନ୍ୟୁଜ ଡେକ୍ସ : ଗିରଫ ହେଲେ କୋଟିପତି କିରାଣୀ କିଶୋର ସାହାଣୀ । କଟକ ସିଟି ହସ୍ପିଟାଲର ସିନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା କିଶୋର ପ୍ରାୟ ଦେଢ଼ କୋଟି ତାଙ୍କର ଯୁଜର୍ସ ଫି’ ହଡ଼ପ କରିଥିବାର ସଙ୍ଗୀନ ଅଭିଯୋଗ ହୋଇଛି । ଏହା ବ୍ୟତୀତ ସେ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।

ଭିଜିଲାନ୍ସ ରେଡ ବେଳେ ତାଙ୍କର ଦୁଇଟି ବିଲ୍ଡିଂ ଏବଂ ୧୯ ମୂଲ୍ୟବାନ ପ୍ଲଟ ଠାବ ହୋଇଛି।କଟକ ସହର ଓ ଏହାର ଆଖପାଖରେ ରହିଛି ସବୁ ପ୍ଲଟ। ଚୌଦ୍ବାରର ପଳାଶିଆରେ ଅଢ଼େଇ ଏକର ଜମିରେ ବାବୁଙ୍କର ରହିଛି କୁକୁଡ଼ା ଫାର୍ମ । ସେହିପରି ନୂଆସାହିରେ ୨୫ଶହ ବର୍ଗଫୁଟରେ ଏକ ତିନି ମହଲା କୋଠା ରହିଛି। ବରିଷ୍ଠ ସହାୟକ କିଶୋର ସାହାଣୀଙ୍କ ଘରୁ ମିଳିଛି ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା ଏବଂ ୧୩୫ ଗ୍ରାମ ସୁନା। ବିଭିନ୍ନ ବ୍ୟାଙ୍କ ଏବଂ ପୋଷ୍ଟାଲରେ ୫୫ ଲକ୍ଷ ୪୮ ହଜାର ଟଙ୍କା ଜମା ରହିଛି।

ବାବୁଙ୍କର ଗୋଟିଏ ଚାରି ଚକିଆ ଓ ୩ଟି ଦୁଇ ଚକିଆ ଯାନ ଅଛି।ଏହି ହେରାଫେରିରେ କିଶୋରଙ୍କ ସ୍ତ୍ରୀ ସମ୍ପୃକ୍ତ ଥିବାର ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଟଙ୍କା ନାଁରେ ମଧ୍ୟ ଏକ ମାମଲା ରୁଜୁ କରିଛି ଭିଜିଲାନ୍ସ । ଆବଶ୍ୟକ ହେଲେ ଅଧିକ ପଚରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କୁହାଯାଇଛି । ୨୦୧୦ ରୁ ୨୦୧୬ ମଧ୍ୟରେ ସିଟି ହସ୍ପିଟାଲର ଯୁଜର୍ସ ଫି’ ବାବଦୀୟ ପ୍ରାୟ ୧ କୋଟି ୨୪ ଲକ୍ଷ ଟଙ୍କା କିଶୋର ହଡପ କରିଥିବାର ସଙ୍ଗୀନ ଆଭିଯୋଗ ରହିଛି ।

Leave a Reply

Your email address will not be published. Required fields are marked *