Mon. Dec 23rd, 2024

ନ୍ୟୁଜ ଡେକ୍ସ: ଚାରି ଦିନ ଧରି ବାଙ୍ଗିରିପୋଷି ଘାଟି ରାସ୍ତାରେ ଜାମ ଲାଗି ରହିବା ପରେ ଆଜି ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ମୟୁରଭଞ୍ଜ ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ବାଙ୍ଗିରିପୋଷି ଘାଟି ରାସ୍ତା କିଛି ଦିନ ହେଲାଣି ଅତ୍ୟନ୍ତ ଖରାପ ହେବା ଯୋଗୁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଲାଗି ରହୁଛି। ଅନ୍ୟ ପଟେ ଭାରି ଯାନ ଗୁଡିକୁ ବ୍ରେକ ଡାଉନ ହେଲେ ରାସ୍ତାରେ ଦୁଇ ତିନି ଦିନ ଧରି ଜାମ ଲାଗି ରହୁଛି।

ତେବେ ଏନେଇ, ମୟୂରଭଞ୍ଜ ଜିଲ୍ଲାପାଳ ଗତକାଲି ବାଙ୍ଗିରିପୋଷି ଏବଂ ବିଶୋଇ ପୁଲିସକୁ ସ୍ୱତନ୍ତ୍ର ଚିଠି କରିଛନ୍ତି। ଏହି ଚିଠିରେ ଘାଟି ରାସ୍ତାର ଉଭୟ ପାର୍ଶ୍ୱରେ ୨୪ ଘଣ୍ଟା ପୁଲିସ ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ କରିଛନ୍ତି। ଏଥିସହ ଭାରିଯାନ ଯାତାୟତ ଉପରେ କଟକଣା ଜାରି କରିଛନ୍ତି । ୪୯ ନମ୍ବର ଜାତୀୟ ରାଜପଥ ଘାଟି ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରତି ଦେଢ଼ ଘଣ୍ଟା ବ୍ୟବଧାନରେ ଭାରିଯାନ ଛାଡ଼ିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

ବାଙ୍ଗିରିପୋଷି ଓ ବିଷୋୟୀ ପଟୁ ଭାରିଯାନ ଛଡ଼ାଯିବ । ଭାରିଯାନ ନିୟନ୍ତ୍ରଣ ପାଇଁ ଘାଟିର ଉଭୟ ପଟେ ପୁଲିସ ମୁତୟନ ହେବେ ବୋଲି ଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ ରହିଛି। ଅନ୍ୟ ସମୟରେ ଭାରି ଯାନଗୁଡିକ ରାସ୍ତାର ବାମ ପାର୍ଶ୍ୱରେ ପାର୍କିଂ କରିବେ ଓ ଅନ୍ୟ ଗାଡ଼ି ଯାତାୟତ କରିବ ବୋଲି ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ ।

Leave a Reply

Your email address will not be published. Required fields are marked *