ନ୍ୟୁଜ ଡେକ୍ସ : ରାୟଗଡା ଜିଲ୍ଲା କୋଲନରା ଅଞ୍ଚଳରୁ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ଚାରି ଜଣଙ୍କୁ ରାୟଗଡା ବନ ବିଭାଗ ସହାୟତାରେ ମୁମ୍ବାଇ ସ୍ଥିତ ଡିରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ ବିଭାଗ ଗିରଫ କରିଛି ।
ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୨ଜଣ ରାୟଗଡା ଜିଲ୍ଲାର ଥିବା ବେଳେ ଅନ୍ୟ ୨ଜଣ ମହାରାଷ୍ଟ୍ରର ବୋଲି ଜଣାପଡିଛି ।ଗିରଫ ଅଭିଯୁକ୍ତମାନେ ହେଲେ, ଗୁଣୁପୁର ଉପଖଣ୍ଡର ଦୁଇଜଣ ଓ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ଦୁଇଜଣ । ଜବତ ବାଘ ଛାଲ ଦେଶ ବାହାରକୁ ଚୋରାଚାଲାଣ କରିବାକୁ ସେମାନେ ଯୋଜନା କରୁଥିଲେ ।
ଗିରଫ ପରେ ରାୟଗଡା ବନଖଣ୍ଡ ବିଭାଗକୁ ହସ୍ତାନ୍ତର କରାଯାଇଛି । ରାୟଗଡା ବନଖଣ୍ଡ ବିଭାଗ ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରିଛନ୍ତି ।ଦୀର୍ଘ ବର୍ଷ ଧରି ସେମାନେ ଆନ୍ତଃ ରାଜ୍ୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ ଚଳାଇଥିବା ନେଇ ସୂଚନା ରହିଛି ।
