ନ୍ୟୁଜ ଡେସ୍କ: ଆଉ କିଛି ଦିନ ପରେ ଆରମ୍ଭ ହେବ ପବିତ୍ର କାର୍ତ୍ତିକ ମାସ। ଏହି ସମୟରେ ପୁରୀରେ କାର୍ତ୍ତିକ ବ୍ରତ ପାଳନ ପାଇଁ ହବିଷ୍ୟାଳୀମାନଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ହବିଷ୍ୟାଳୀମାନଙ୍କ ଲାଗି ବିଭିନ୍ନ ବ୍ୟବସ୍ଥା କରିବା ପାଇଁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର।
ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, କାର୍ତ୍ତିକ ମାସ ହେଉଛି ଧାର୍ମିକ ମାସ । କାର୍ତ୍ତିକ ମାସ ବ୍ରତ ପାଳନ ଦ୍ୱାରା ପୁଣ୍ୟ ଅର୍ଜିତ ହୁଏ ବୋଲି ଆମ ଓଡ଼ିଆ ଜଗନ୍ନାଥ ସଂସ୍କୃତିରେ ବିଶ୍ୱାସ ରହିଛି । କାର୍ତ୍ତିକ ମାସ ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଅନେକ ହବିଷ୍ୟାଳି ମା’ ମାନେ ଏକାଠି ହୋଇଥା’ନ୍ତି । ହବିଷ୍ୟାଳି ମା’ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ ନିମନ୍ତେ ଚଳିତ ବର୍ଷ ସରକାରଙ୍କ ତରଫରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳ ଅନୁମୋଦନ କରାଯାଇଛି।
ହବିଷ୍ୟାଳି ମା’ମାନଙ୍କ ପାଇଁ ଦୀର୍ଘ ଏକ ମାସ ଧରି ପୁରୀରେ ବିଭିନ୍ନ ହବିଷ୍ୟାଳି କେନ୍ଦ୍ର ମାନଙ୍କରେ ସୁରକ୍ଷିତ ରହଣି ବ୍ୟବସ୍ଥା, ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ, ମହାପ୍ରସାଦ ସେବନ, ଭଜନ-କୀର୍ତ୍ତନ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପମାନ ନିଆଯିବାର ଯୋଜନା ରହିଛି । ହବିଷ୍ୟାଳିମାନେ ନିଜର ବ୍ରତ ପାଳନ ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।