ନ୍ୟୁଜ ଡେକ୍ସ : ଦୁର୍ଗାପୂଜା ପାର୍ବଣକୁ ଆଖି ଆଗରେ ରଖି ଟ୍ୱିନସିଟିରେ ଭାରୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୋମବାର ସାମ୍ବାଦିକ ସମ୍ମିଳନୀରେ ପୋଲିସ୍ କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ଯେ, ଏଥର ୬୧ ପ୍ଲାଟୁନ୍ ଫୋର୍ସ ଓ ୨୦ ପ୍ଲାଟୁନ୍ ହୋମଗାର୍ଡ ମୁତୟନ ହେବେ । ମୋଟ ୧୯୩ଟି ପୂଜା ମଣ୍ଡପ ପାଇଁ ସୁରକ୍ଷା ବ୍ୟବସ୍ଥା ହୋଇଛି ।
ପୋଲିସ୍ କମିଶନର କହିଛନ୍ତି, ୨୪ଟି ପେଣ୍ଡାଲରେ ବିଶେଷ ଅଳଙ୍କାର ସୁରକ୍ଷା କରାଯାଇଛି । ବିଦ୍ୟୁତ୍ ଓ ନିଆଁରୁ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି । ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଡ୍ରୋନ୍ ଓ CCTV ସହାୟତାରେ ମଣ୍ଡପ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହିତ ସ୍ମାର୍ଟ କଣ୍ଟ୍ରୋଲ୍ ରୁମ୍ ଜରିଆରେ ପରିଚାଳନା ହେବ ।
ଅନ୍ୟପଟେ, କଟକ ସହରରେ ସ୍ଵତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ୩୯ଟି ଏଡ୍ ପୋଷ୍ଟ ସହିତ ୩୫ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି । ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ରଖାଯିବ ।ପୋଲିସ୍ କମିଶନର ସୁରେଶ ଦେବଦତ୍ତ ସିଂ ସମସ୍ତଙ୍କୁ ସହଯୋଗୀ ହେବାକୁ ଆହ୍ୱାନ କରି କହିଛନ୍ତି – “ସୁରକ୍ଷା ବ୍ୟବସ୍ଥା ସହିତ ସାର୍ବଜନୀନ ସହଭାଗୀତା ଅତ୍ୟାବଶ୍ୟକ ।”
