Sat. Oct 25th, 2025

ନ୍ୟୁଜ ଡେକ୍ସ : ଗତକାଲି କେନ୍ଦୁଝରରେ ଦୁର୍ଗାପୂଜାର ମଜା ନେଇଥିବା ବେଳେ, ଆଜି ପୁଣିଥରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତରେ ଆସିଛନ୍ତି। ପୂର୍ବବର୍ଷ ପରି ଏଥରେ ମଧ୍ୟ ସେ ରୌପ୍ୟ ନଗରୀର ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କରିଛନ୍ତି। ଦଶହରାର ଉତ୍ସବମୟ ପରିବେଶରେ ଆଜି ପ୍ରଥମେ ସେ ପୋତାପୋଖରୀ ପୂଜାମଣ୍ଡପରେ ପହଞ୍ଚି, ଦେବୀ ଦୁର୍ଗାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।

ପରବର୍ତ୍ତୀକାଳରେ ସେ ସହରର ବିଭିନ୍ନ ପୂଜାମଣ୍ଡପକୁ ଯାଇ ସମାଜର ସମସ୍ତଙ୍କ ସହିତ ଆନନ୍ଦ ଓ ଆସ୍ଥାର ସହଭାଗୀ ହେଉଛନ୍ତି। ମା’ଙ୍କୁ ପ୍ରାର୍ଥନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ତାଙ୍କ ସହ କଟକ ସଦର ବିଧାୟକ ପ୍ରକାଶ ସେଠୀ ମଧ୍ୟ ଉପସ୍ଥିତ ଥିଲେ। ବିଭିନ୍ନ ପୂଜାମଣ୍ଡପ‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଉଥିବା ବେଳେ ଲୋକେ ବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିକଟରୁ ଦେଖିବା ଲାଗି ଉତ୍ସାହିତ ଅଛନ୍ତି । ପୂଜା ମଣ୍ଡପରେ ସେ ଲୋକଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ।

ତେବେ ଏହାପରେ ଗୋପାଳପୁର, ଚାଉଳିଆଗଞ୍ଜ, ଖାନନଗର ଭଳି କଟକର ୩୩ଟି ପୂଜାମଣ୍ଡପ ପରିଦର୍ଶନ କରିପାରନ୍ତି ମୁଖ୍ୟମନ୍ତ୍ରୀ ।ତେବେ ଗତକାଲି ମୁଖ୍ୟମନ୍ତ୍ରୀ ମହାଅଷ୍ଟମୀ ଅବସରରେ ତାଙ୍କ ଗୃହ ଜିଲ୍ଲା କେଉଁଝର ଗସ୍ତ କରିଥିଲେ ଏବଂ ଝୁମ୍ପୁରା ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ମୁଖ୍ୟମନ୍ତ୍ରୀ ମହାଅଷ୍ଟମୀର ପବିତ୍ର ପୂଜାରେ ଅଂଶଗ୍ରହଣ କରିବା ସହ ଓଡ଼ିଶାବାସୀଙ୍କ ଶାନ୍ତି, ସମୃଦ୍ଧି ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published. Required fields are marked *