ନ୍ୟୁଜ ଡେକ୍ସ : ଦୀର୍ଘ ୪୮ ଘଣ୍ଟା ପରେ ଅବଶେଷରେ କଟକ ସହରରେ ଇଣ୍ଟରନେଟ ସେବା ଆରମ୍ଭ ହୋଇଛି। ଆଜି ସନ୍ଧ୍ୟା ୭ଟାରୁ ଇଣ୍ଟରନେଟ ସେବା ପୁନରୁଦ୍ଧାର ହେବା ସହିତ ସହରବାସୀ ମଧ୍ୟ ଖୁସିରେ ମାତିଯାଇଛନ୍ତି। ଗତ ୫ ତାରିଖରୁ ଗୋଷ୍ଠୀ ବିବାଦ ଉତ୍ତେଜନା ପରିସ୍ଥିତି ଦେଖି ସରକାର ଏହି ସେବାକୁ ବନ୍ଦ କରିଥିଲା।
ସହରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ପରେ ଗୃହ ବିଭାଗ ଗୋଟିଏ ବଡ ପଦକ୍ଷେପ ନେଇଥିଲା। ପୁଲିସ ପକ୍ଷରୁ ୩୬ ଘଣ୍ଟା ପାଇଁ ୧୩ଟି ଥାନା ଅଞ୍ଚଳର କିଛି ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଥିଲା। ସେମାନଙ୍କ ମଧ୍ୟରେ ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, ସିଡିଏ-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି, ବୟାଳିସମୌଜା, ସଦର, ବିଡ଼ାନାସୀ ଓ ମାଲଗୋଦାମ ଅଞ୍ଚଳ ସମ୍ମିଳିତ ଥିଲେ। ଆଜି ସକାଳୁ କର୍ଫ୍ୟୁ ହଟିଥିବା ସହିତ ସନ୍ଧ୍ୟା ୭ଟାରୁ ଇଣ୍ଟରନେଟ ସେବା ମଧ୍ୟ ଚାଲୁ ହୋଇଛି ବୋଲି ପ୍ରଶାସନ ସୂଚନା ଦେଇଛି।
ସହରରେ ଧୀରେ ଧୀରେ ସ୍ୱାଭାବିକ ପରିସ୍ଥିତି ଫେରୁଥିବା ବେଳେ ନେଟ ସେବା ଚାଲୁ ହେବାକୁ ନେଇ ଲୋକମାନଙ୍କ ମଧ୍ୟରେ ଅପାର ସନ୍ତୋଷ ଦେଖାଯାଇଛି। ଜରୁରୀକାଳୀନ ସେବା ବ୍ୟତୀତ କର୍ଫ୍ୟୁ ସମୟରେ ସମସ୍ତ ପ୍ରକାର ଗହଳି, ପ୍ରଦର୍ଶନ ଓ ଶୋଭାଯାତ୍ରାକୁ ବାରଣ କରାଯାଇଥିଲା। ବର୍ତ୍ତମାନ ସମସ୍ତ ପ୍ରତିବନ୍ଧକ ହଟିଯାଇଥିବାରୁ କଟକ ସହର ସ୍ୱାଭାବିକ ଜୀବନରେ ଫେରୁଛି।
