ନ୍ୟୁଜ ଡେକ୍ସ : ଦଶହରା ଭସାଣୀ ସମୟରେ ହାତୀପୋଖରୀ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ମାମଲାରେ କମିଶନରେଟ ପୋଲିସ ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ୬ ଜଣ ଗିରଫ ହୋଇଥିବାବେଳେ, ଆଜିର ଗିରଫ ସହ ମୋଟ ଗିରଫ ସଂଖ୍ୟା ୯କୁ ପହଞ୍ଚିଛି। ଏହି ସୂଚନା ଦେଇ ଏସିପି ଗିରିଜା ଚକ୍ରବର୍ତ୍ତୀ କହିଛନ୍ତି ଯେ ତଦନ୍ତ ଚାଲିଥିବାରୁ ଆଗାମୀ ଦିନରେ ଆଉ ଗିରଫ ହେବା ସମ୍ଭାବନା ରହିଛି।
ପୋଲିସ ମଧ୍ୟ ଅଞ୍ଚଳରେ ନିରନ୍ତର ଯାଞ୍ଚ ଜାରି ରଖିଛି। ହାତୀପୋଖରୀ ଓ ତାହା ସମୀପ ଅଞ୍ଚଳରେ ଘରେ ଘରେ ଯାଞ୍ଚ କାର୍ଯ୍ୟ ହେଉଛି। କିଛି ମସଜିଦ ପାଖରେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ପୋଲିସ ଯାଞ୍ଚ କରିଛି। ଓଡ଼ିଶା ପୋଲିସ ସହ ମିଶି କେନ୍ଦ୍ରୀୟ ସୁରକ୍ଷା ବାହିନୀ ମଧ୍ୟ ଖୋଳତାଡ଼ ଚାଲୁ ରଖିଛି। ସ୍ଥାନୀୟ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରିବା ପାଇଁ ୨ ଏସିପି, ୩ ଆଇଆଇସି ଓ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ସେହିପରି, ଆସନ୍ତାକାଲି ଶୁକ୍ରବାର ସମୂହ ନମାଜ ପାଠ ଆଳରେ କିଛି ବିଶୃଙ୍ଖଳା ହେବ ବୋଲି ଆଶଙ୍କା କରି ପୋଲିସ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । କୌଣସି ଗୁଜବ ଉପରେ ଧ୍ୟାନ ନଦେବାକୁ ପୋଲିସ କହିଛି । ଏହି କ୍ରମରେ ଗୁଜବ ନକରିବା ଓ ଶାନ୍ତି ବଜାୟ ରଖିବାକୁ ମହଲା କମିଟି ଅନୁରୋଧ କରିଛି ।
