ନ୍ୟୁଜ ଡେକ୍ସ : ଆସନ୍ତା ଶୀତକାଳୀନ ବିମାନ ଉଡ଼ାଣ ସୂଚୀରୁ ରାଉରକେଲା ବିମାନବନ୍ଦରକୁ ବାଦ କରାଯାଇଛି। ଫଳସ୍ୱରୂପ ଆଗାମୀ ୨୬ ଅକ୍ଟୋବରରୁ ୨୫ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ରାଉରକେଲାରୁ କୌଣସି ବିମାନ ଉଡ଼ିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ସଦ୍ୟ ପ୍ରକାଶିତ ଶୀତକାଳୀନ ବିମାନ ସୂଚୀରେ ରାଉରକେଲାର ନାମ ନ ଥିବା ନେଇ ଅଞ୍ଚଳବାସୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।ଆଲିଆନ୍ସ ଏୟାର୍ ଦ୍ବାରା ପରିଚାଳିତ ଏକମାତ୍ର ଏଟିଆର୍-୭୨ ବିମାନ ସେବା ବନ୍ଦ ହୋଇଯିବା ପରଠାରୁ ରାଉରକେଲା ବିମାନସେବା ପ୍ରାୟ ଅସ୍ଥିର ଅବସ୍ଥାରେ ଅଛି।
ଏପରି ସମୟରେ ବିମାନବନ୍ଦରକୁ ନୂଆ ରୂପ ଦେବା, ସଂପ୍ରସାରଣ ଓ ଭିତ୍ତିଭୂମି ବିକାଶ ପାଇଁ ପରିଯୋଜନା ଚାଲିଥିବା ସତ୍ତ୍ୱେ ଉଡ଼ାଣ ବନ୍ଦ ହେବାକୁ ନେଇ ଅଞ୍ଚଳର ବୁଦ୍ଧିଜୀବୀ ଓ ସମାଜବିଦ୍ମାନେ ଅସନ୍ତୋଷ ଜଣାଇଛନ୍ତି। ସେମାନେ କହିଛନ୍ତି ଯେ ଏହା ରାଉରକେଲା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାର ଅନ୍ୟତମ ଉଦାହରଣ। ଯାହା ଉଲ୍ଲେଖନୀୟ, ୨୦୨୩ ଜାନୁଆରୀ ୭ ତାରିଖରୁ ଭୁବନେଶ୍ୱର-ରାଉରକେଲା ବିମାନସେବା ଆରମ୍ଭ ହୋଇଥିଲା ଓ ପରବର୍ତ୍ତୀ ସମୟରେ ରାଉରକେଲା-କୋଲକାତା ରୁଟ୍କୁ ଉଡାନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା।
କିନ୍ତୁ ଜୁନ ୧୫ରୁ ରାଉରକେଲା-କୋଲକାତା ଓ ଜୁଲାଇ ୧୬ରୁ ରାଉରକେଲା-ଭୁବନେଶ୍ୱର ବିମାନ ଉଡ଼ାଣ ବନ୍ଦ ହୋଇଯାଇଛି।ସ୍ଥାନୀୟ ବ୍ୟାପାରୀ, ଉଦ୍ୟୋଗପତି ଓ ଯାତ୍ରୀମାନେ ଦାବି କରିଛନ୍ତି ଯେ ରାଉରକେଲା ବିମାନସେବା ଶୀଘ୍ର ପୁନଃଆରମ୍ଭ ହେବା ଆବଶ୍ୟକ, କାରଣ ଏହା ଉତ୍ତର ଓଡ଼ିଶାର ଅର୍ଥନୈତିକ ଓ ଶିଳ୍ପ ଗତିବିଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଅଇଥାଏ।
