ନ୍ୟୁଜ ଡେକ୍ସ : ଅଭ୍ୟାସଗତ ଟ୍ରାଫିକ୍ ଉଲ୍ଲଂଘନରେ ଜଡିତ ଥିବା ଯାନ ମାଲିକଙ୍କ ବିରୋଧରେ ଗୁରୁତର ପଦକ୍ଷେପ ନିଆଗଲା। ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ୨୫୮ଟି ଯାନର ପଞ୍ଜିକରଣ ପ୍ରମାଣପତ୍ର (ଆରସି) ଓ ଫିଟନେସ୍ ପ୍ରମାଣପତ୍ର ବାତିଲ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) କୁ ସୁପାରିଶ କରିଛି।
ସୂଚନା ମୁତାବକ, ଏହି ସମସ୍ତ ଯାନର ମାଲିକମାନେ ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିଲେ ଏବଂ ଜୋରିମାନା ଦେବାକୁ ମଧ୍ୟ ଅସ୍ୱୀକାର କରୁଥିଲେ। ଏହି ନିରନ୍ତର ଅବହେଳା ଓ ଅନୁଶାସନହୀନ ଚାଳନ ଅଭ୍ୟାସକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ଏହି କଠୋର ପଦକ୍ଷେପ ନେଇଛି।
ଏପରେ ଏସଟିଏ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ନିର୍ଦ୍ଦେଶ ଦେଇଛି ଯେ, ଏପରି ନିୟମ ଉଲ୍ଲଂଘନକାରୀ ଯାନମାନଙ୍କୁ ‘ବ୍ଲାକଲିଷ୍ଟ’ କରି ସେମାନଙ୍କର ପଞ୍ଜିକରଣ ଓ ଫିଟନେସ୍ ପ୍ରମାଣପତ୍ର ବାତିଲ ପ୍ରକ୍ରିୟା ଶୀଘ୍ର ଆରମ୍ଭ କରାଯାଉ।ପୋଲିସ ଅଧିକାରୀମାନଙ୍କ କହିବା ଅନୁସାରେ, ଟ୍ରାଫିକ୍ ନିୟମ ଅନୁସରଣ ନ କରିଥିବା ଓ ଜୋରିମାନା ଅଦାୟ ନ କରିଥିବା ଯାନ ମାଲିକଙ୍କୁ ଆଗାମୀ ଦିନରେ ଆଉ କଠିନ ଆଇନି ପଦକ୍ଷେପ ମଧ୍ୟ ନିଆଯିବ।
