Sat. Apr 18th, 2026

ନ୍ୟୁଜ ଡେକ୍ସ : ବ୍ରହ୍ମପୁର ଏସ୍‌ପି ଡାକ୍ତର ସରଭଣା ବିବେକ ଏମ୍‌ଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ପୀତବାସ ହତ୍ୟା ମାମଲା ସମ୍ବନ୍ଧରେ ଏକ ପ୍ରେସ୍‌ମିଟରେ ଏସ୍‌ପିଙ୍କ ଦେଇଥିବା ବୟାନ ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।ଖବର ଅନୁସାରେ, ପୀତବାସ ହତ୍ୟା ମାମଲାର ପର୍ଦ୍ଦାଫାସ ସମୟରେ ଏସ୍‌ପି ଡାକ୍ତର ବିବେକ ନିର୍ବାଚନୀ ମାମଲା ବିଷୟରେ ମନ୍ତବ୍ୟ କରିଥିଲେ। ସେ ବିକ୍ରମ ପଣ୍ଡା ଓ ଶିବ ଶଙ୍କର ଦାସଙ୍କ ମଧ୍ୟରେ କମନ୍‌ ଲିଙ୍କ ଥିବା କଥା କହିଥିଲେ।

ଏହି ଦୁଇଜଣଙ୍କ ମଧ୍ୟରେ ଥିବା ସମ୍ପର୍କ ନିର୍ବାଚନୀ ମାମଲା ସହ ସଂପୃକ୍ତ ବୋଲି ସେ କହିଥିଲେ।ଏହି ବୟାନକୁ ନେଇ ହାଇକୋର୍ଟ ଖପ୍ପା ହୋଇ ବ୍ରହ୍ମପୁର ଏସ୍‌ପିଙ୍କୁ ଜବାବ ତଲବ କରିଛି। ଅଦାଲତ ପ୍ରଶ୍ନ କରିଛି ଯେ, ଏସ୍‌ପିଙ୍କ ଏହି ବୟାନକୁ କାହିଁକି ଅଦାଲତ ଅବମାନନା ଭାବେ ଧରାଯିବ ନାହିଁ?ନିର୍ଦ୍ଦେଶ ଅନୁଯାୟୀ, ଡାକ୍ତର ସରଭଣା ବିବେକ ଏମ୍‌ଙ୍କୁ ଆସନ୍ତା ନଭେମ୍ବର ୭ ସୁଦ୍ଧା ହାଇକୋର୍ଟରେ ନିଜ ଲିଖିତ ଜବାବ ଦାଖଲ କରିବାକୁ କୁହାଯାଇଛି।

ଜଷ୍ଟିସ୍‌ ଶଶିକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବ୍ରହ୍ମପୁର ଆସନ ସମ୍ବନ୍ଧୀୟ ନିର୍ବାଚନୀ ମାମଲା ଶୁଣାଣି କାଳରେ ଏହି ନିର୍ଦ୍ଦେଶ ଦିଆଯାଇଛି।ହାଇକୋର୍ଟ କହିଛି, ଯଦି ଏସ୍‌ପିଙ୍କ ମନ୍ତବ୍ୟ ସତ ହୁଏ, ତେବେ ଏହା ଗଭୀର ଉଦ୍‌ବେଗର ବିଷୟ ଯେକି ଏକ ବରିଷ୍ଠ ପୋଲିସ ଅଧିକାରୀ ଚାଲିଥିବା ନିର୍ବାଚନୀ ମାମଲା ବିଷୟରେ ସର୍ବସାଧାରଣରେ ଟିପ୍ପଣୀ କରିଛନ୍ତି।

Leave a Reply

Your email address will not be published. Required fields are marked *