ନ୍ୟୁଜ ଡେକ୍ସ: ଶିମିଳିପାଳର ଘଞ୍ଚ ଜଙ୍ଗଲରେ ବୁଲୁଛି କଳାବାଘ । ଏହାର ଝଲକ ପୁଣି ଥରେ କ୍ୟାମେରାରେ କଏଦ ହୋଇଛି । ଯାହାର ଭିଡିଓକୁ ସୋଶାଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନିଜେ ପିସିସିଏଫ ୱାଇଲ୍ଡ ଲାଇଫ୍ ସୁଶାନ୍ତ ନନ୍ଦ । ଅଭାୟରଣ୍ୟ ଭିତରେ ଦେଶର ପ୍ରଥମ କଳାବାଘ ସଫାରି ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢୁଥିବା ବେଳେ ଏବେ କଳାବାଘ ଚିତ୍ର ସାମ୍ନାକୁ ଆସିବା ପରେ ପଶୁ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।
କଳା ବାଘ ସଫାରୀକୁ ପୂର୍ବରୁ ଏନଟିସିଏ ଅନୁମୋଦନ କରିଥିବା ବେଳେ ଏହାର ଡିଜାଇନକୁ ନିକଟରେ ମଞ୍ଜୁରୀ ଦେଇଛି ସେଣ୍ଟ୍ରାଲ ଜୁ’ ଅଥରିଟି। ବାରିପଦାରୁ ୧୦ କିଲୋମିଟର ଦୂରରେ ମଞ୍ଚିଆପଡ଼ାରେ ଶହେ ଏକର ଜମିରେ ତିଆରି ହେବାକୁ ଥିବା ଏହି କଳାବାଘ ସଫାରୀରେ ନନ୍ଦନକାନନରୁ କଳାବାଘ ଓ କଳା ଜିନ୍ ଥିବା ବାଘକୁ ଆଣି ଛଡ଼ାଯିବ । ଏଠାରେ ବାଘଙ୍କ ପାଇଁ ରହିବ ସ୍ୱତନ୍ତ୍ର ହସ୍ପିଟାଲ। ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନ ବିଭାଗ ।
ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁଶାନ୍ତ ନନ୍ଦ କହିଛନ୍ତି, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ହେଉଛି କଲରାପତରିଆଙ୍କ ପାଇଁ ଭୂସ୍ୱର୍ଗ । ମୟୂରଭଞ୍ଜ-କେନ୍ଦୁଝର ଲ୍ୟାଣ୍ଡସ୍କେପ୍ରେ ସର୍ବାଧିକ ୨୦୦ କଲରାପତରିଆ ଅଛନ୍ତି । ଏମାନେ ଶିମିଳିପାଳରୁ ହଦଗଡ଼ ଓ କୁଳଡିହ ଅଭୟାରଣ୍ୟ ଭିତରେ ବିଚରଣ କରୁଛନ୍ତି । ତା’ତଳକୁ ଅଛି ସାତକୋଶିଆ- ଆଠମଲ୍ଲିକ-ବୌଦ୍ଧ ଲ୍ୟାଣ୍ଡସ୍କେପ୍ । ଏହି କରିଡରରେ ପ୍ରାୟ ୧୫୦/୧୬୦ଟି ବାଘ ଅଛନ୍ତି ।
