ନ୍ୟୁଜ ଡେକ୍ସ: ବାଲେଶ୍ୱର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଆଜି ବାଲେଶ୍ୱର ଜିଲ୍ଲାର ଷଷ୍ଠ ଜିଲ୍ଲା ପରିଷଦର ଷଷ୍ଠ ବୈଠକ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I
ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଶାସକ ଦଳର ଉପମୁଖ୍ୟ ସଚେତକ ତଥା ବିଧାୟକ, ରେମୁଣା ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ, ସିମୁଳିଆ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା, ବିଧାୟକ ଜଳେଶ୍ୱର ଶ୍ରୀ ଅଶ୍ୱିନୀ ପାତ୍ର , ବିଧାୟକ, ବାଲେଶ୍ଵର ସଦର ଶ୍ରୀ ମାନସ କୁମାର ଦତ୍ତ, ବିଧାୟକ, ନୀଳଗିରି ଶ୍ରୀ ସନ୍ତୋଷ ଖଟୁଆ, ବିଧାୟିକା ବସ୍ତା ଶ୍ରୀମତୀ ସୁବାସିନୀ ଜେନା, ବିଧାୟକ ସୋର ଶ୍ରୀ ମାଧବ ଧଡ଼ା, ବିଧାୟକ ଭୋଗରାଇ ଶ୍ରୀ ଗୌତମବୁଦ୍ଧ ଦାସ ଓ ଜିଲ୍ଲାପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ଅନଶୁୟା ପ୍ରଧାନ ମଞ୍ଚାସୀନ ଥିଲେ I ସଭା ପ୍ରାରମ୍ଭରେ ମାନ୍ୟବର ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ସମସ୍ତ ମଞ୍ଚାସୀନ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ I
ଏହି ବୈଠକରେ ମାନ୍ୟବର ଜିଲ୍ଲା ପରିଷଦର ସମସ୍ତ ଉପସଭାପତି, ସଦସ୍ୟ/ସଦସ୍ୟା, ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ବିଭାଗୀୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ ବୈଠକ ପରିଚାଳନା କରିଥିଲେ I ଏହି ବୈଠକରେ ଜିଲ୍ଲାର ବିକାଶ ପାଇଁ ଆସୁଥିବା ଅନୁଦାନର ଉଚିତ ବିନିଯୋଗ ଏବଂ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ତୃଣମୂଳସ୍ତରରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନକୁ କିଭଳି ତ୍ୱରାନ୍ୱିତ କରାଯାଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ସଦସ୍ୟ/ସଦସ୍ୟାମାନେ ମତ ଉପସ୍ଥାପନା କରିଥିଲେ I ସଭାରେ ସର୍ବପ୍ରଥମେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଯୋଜନା ଭିତ୍ତିକ କନିଷ୍ଠ ଶିକ୍ଷକ ପୂରଣ ନିମନ୍ତେ ମୋଟ ୬୦୦ ଜଣ ଯୋଗ୍ୟ ପ୍ରାର୍ଥୀଙ୍କର ଦରଖାସ୍ତ ଯାଞ୍ଚ କରାଯାଇ ଚୂଡାନ୍ତ ତାଲିକାର ଅନୁମୋଦନ ଓ ନିଯୁକ୍ତି ପତ୍ର ପ୍ରଦାନ ସମ୍ବନ୍ଧରେ ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା I
ଏହା ପରେ ଚଳିତ ବର୍ଷ ୨୦୨୪-୨୫ ନିମନ୍ତେ ପଞ୍ଚମ ଏସଏଫସି ଜିଆଇଏ ଯୋଜନାରେ ବିଭିନ୍ନ ପଂଚାୟତ ସମିତିରୁ ପ୍ରାପ୍ତ ହୋଇଥିବା ପ୍ରସ୍ତାବିତ ପ୍ରକଳ୍ପ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ଏହା ପରେ ସମ୍ପ୍ରତି ବନ୍ୟା ମୁକାବିଲା ସମ୍ବନ୍ଧୀୟ ଆଲୋଚନା କରାଯାଇ ପ୍ରବଳ ବର୍ଷା ହେତୁ ସୁବର୍ଣ୍ଣରେଖା ଓ ଅନ୍ୟ ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପାଇଁ ଭୋଗରାଇ, ବସ୍ତା, ବାଲିଆପାଳ, ଜଳେଶ୍ୱର, ସଦର, ରେମୁଣା ଓ ସୋର ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ଓ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା I ସେହି ଭଳି ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ତଥ୍ୟ ପ୍ରଦାନ କରିବା ସହିତ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଖୁବ ଶୀଘ୍ର ନୂଆ ଡାକ୍ତର, ନର୍ସ ଓ ଅନ୍ୟ ଷ୍ଟାଫଙ୍କ ନିଯୁକ୍ତି କରାଯାଇ ଆବଶ୍ୟକୀୟ ଚିକିତ୍ସାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ପୁରଣ କରାଯିବ ବୋଲି ସୂଚନା ଦେଇଥିଲେ I ସେହିଭଳି ଜିଲ୍ଲା ସଂସ୍କୃତି ଅଧିକାରୀ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଜିଲ୍ଲାରେ ପଞ୍ଜିକୃତ ହୋଇଥିବା କଳାକାରଙ୍କ ସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ I ଏଥିସହିତ ବନ ବିଭାଗ, ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ ଭଳି ଅନ୍ୟାନ୍ୟ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ସଭାରେ ଆଲୋଚନା କରାଯାଇଥିଲା I
