ନ୍ୟୁଜ ଡେକ୍ସ : ଝାରସୁଗୁଡା ରେଳ ଷ୍ଟେସନରେ ଆଜି ସକାଳେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ଚଳନ୍ତା ଟ୍ରେନରେ ଚଢ଼ିବା ସମୟରେ ପଡ଼ିଯାଇ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଛତିଶଗଡ଼ର ରାୟପୁର ନିବାସୀ ତଥା ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ନୂଆପାଲିର ଏକ ବିଦ୍ୟାପୀଠରେ ଗୁରୁଜୀ ଭାବେ କାର୍ଯ୍ୟରତ ବି. ଶିବଶଙ୍କର (୬୫) ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଆଜି ସକାଳ ସାଢେ ୭ଟା ସମୟରେ ଶିବଶଙ୍କର ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଟ୍ରେନଟି ହଠାତ୍ ଛାଡ଼ି ଯିବାରୁ ତାଙ୍କର ସମତୁଳନ ବିଗଡ଼ି ଗୋଡ଼ ଖସିଯାଇଥିଲା ଓ ସେ ଟ୍ରେନ ତଳକୁ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ସେ ଗୁରୁତରଭାବେ ଆହତ ହୋଇ ଟ୍ରେନ ତଳକୁ ଗଳି ପଡ଼ିଥିଲେ।
ସୂଚନା ପାଇ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହି ଅଘଟଣ ପରେ ଝାରସୁଗୁଡା ରେଳ ଷ୍ଟେସନ ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାଉଣୀ ଖେଳିଯାଇଛି। ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି।

