Sat. Feb 21st, 2026

ନ୍ୟୁଜ ଡେକ୍ସ :ଶ୍ରୀଲଙ୍କାରେ ଭୟଙ୍କର ତାଣ୍ଡବ ରଚିଥିବା ସାମୁଦ୍ରିକ ବାତ୍ୟା ‘ଦିତୱା’ ଏବେ ଦକ୍ଷିଣ ଭାରତ ଆଡ଼କୁ ଅଗ୍ରସର ହୋଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଆଜି ସନ୍ଧ୍ୟାରେ ତାମିଲନାଡୁ ଓ ପୁଡୁଚେରି ଉପକୂଳରେ ପହଞ୍ଚିବା ସହ ଭାରୀ ବର୍ଷା ଓ ପ୍ରବଳ ପବନ ଜାରି ରହିଛି। ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରି ସହ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ଭାରୀ ପ୍ରଭାବିତ ହୋଇଛି।

ଘଣ୍ଟାକୁ ୬୦ରୁ ୭୦ କିଲୋମିଟର ବେଗରେ ପବନ ସହ ଲଗାଣ ବର୍ଷା ଜଟିଳ ସ୍ଥିତି ସୃଷ୍ଟି କରିଛି। ଦକ୍ଷିଣ ଭାରତର ଅନେକ ରେଳ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ଅନେକ ବିମାନ ଉଡାଣ ବାତିଲ କରାଯାଇଛି।ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତାକାଲି ମଧ୍ୟ ଚେନ୍ନାଇ, କୁଡ଼ଲୁର୍, ଭିଲୁପୁରମ୍, ନାଗାପଟ୍ଟିନମ୍, ଥଞ୍ଜାଭୂର, ତିରୁଭାରୁର୍, ମୟିଲାଦୁଥୁରାଇ, ରାମନାଥପୁରମ୍, ପୁଦୁକ୍କୋଟ୍ଟାଇ ଓ ତୁତିକୁଡ଼ି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ। ଏହି ୧୦ଟି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଥିବା ବେଳେ ୨୫ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଉପକୂଳ ଛୁଇଁବା ପୂର୍ବରୁ ରବିବାର ସନ୍ଧ୍ୟାରେ ‘ଦିତୱା’ ବାତ୍ୟା ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିଲା।

ତଥାପି ଏହାର ପ୍ରଭାବରେ ବର୍ଷା ଓ ପବନର ପ୍ରଭାବ ଭୟଙ୍କର ରହିଛି।ବାତ୍ୟାକୁ ମୁକାବିଲା କରିବା ପାଇଁ ତାମିଲନାଡୁ ସରକାର ଓ କେନ୍ଦ୍ର ସରକାର ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ସମସ୍ତ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ଏସ୍‌ଡିଆରଏଫ୍ ଓ ଏନଡିଆରଏଫ୍ ବାହିନୀଙ୍କୁ ମୁତୟନ କରାଯାଇଛି। ଉପକୂଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି।ବାତ୍ୟାର ପ୍ରଭାବରେ ତାମିଲନାଡୁରେ ରବିବାର ୩ ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛି।

ଥୁଟୁକୋଡି ଓ ଥଞ୍ଜାଭୁର ଜିଲ୍ଲାରେ କାନ୍ଥ ପଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ମୟିଲାଦୁଥୁରାଇରେ ବିଦ୍ୟୁତ୍ ଆଘାତରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ତାମିଲନାଡୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେ.ରାମଚନ୍ଦ୍ରନ ସୂଚନା ଦେଇଛନ୍ତି ଯେ, ରାମେଶ୍ବରମ୍ ଓ ନାଗାପଟ୍ଟିନମ୍ ସହିତ ଉପକୂଳ ଅଞ୍ଚଳଗୁଡ଼ିକ ଦିତୱା ବାତ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ପ୍ରଶାସନ ସମସ୍ତ ପରିସ୍ଥିତି ଉପରେ କଟକଣା ନଜର ରଖିଛି।

Leave a Reply

Your email address will not be published. Required fields are marked *