ନ୍ୟୁଜ ଡେକ୍ସ :ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନରେ ଶାସକ ଓ ବିରୋଧୀ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ତୀବ୍ର ମୁହାଁମୁହିଁ ହେବାର ସମ୍ଭାବନା ରହିଛି। ଏହି ମଧ୍ୟରେ ରାଜ୍ୟରେ ଜଙ୍ଗଲ ନିଆଁକୁ ନେଇ ଗୃହରେ ଗୁରୁତ୍ୱପୂର୍ଣ୍ଣ ସୂଚନା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂହଖୁଣ୍ଟିଆ।ମନ୍ତ୍ରୀ ଗୃହକୁ ସୂଚନା ଦେଇ କହିଛନ୍ତି ଯେ, ଜୁଲାଇ ୨୦୨୪ରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ୪ ହଜାର ୬୦୯ ହେକ୍ଟର ଜଙ୍ଗଲ ଜମି ଜଙ୍ଗଲ ନିଆଁରେ କ୍ଷତିଗ୍ରସ୍ତ ହୋଇଛି।
ଏହା ସହ ଗତ ୨ ବର୍ଷ ମଧ୍ୟରେ ୫୬ ହଜାର ୮୮୦ ହେକ୍ଟର ଜଙ୍ଗଲ ଜମିରେ ଚାରାରୋପଣ କରାଯିବାକୁ ଲକ୍ଷ୍ୟ ଧରାଯାଇଛି। ଏହି ଚାରାରୋପଣ ପାଇଁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।ମନ୍ତ୍ରୀ କହିଛନ୍ତି ଯେ, ଏବେ ଜଙ୍ଗଲ ନିଆଁକୁ ଟ୍ରାକିଂ କରିବା ପାଇଁ ଜିପିଏସ (GPS) ପ୍ରଣାଳୀ ବ୍ୟବହାର କରାଯାଉଛି। ଆଧୁନିକ ଜ୍ଞାନକୌଶଳ ଓ କୃତ୍ରିମ ବୁଦ୍ଧିମତ୍ତା (AI) ମାଧ୍ୟମରେ ଜଙ୍ଗଲ ନିଆଁକୁ ସମୟର ପୂର୍ବରୁ ଚିହ୍ନଟ କରାଯାଇ ନିୟନ୍ତ୍ରଣ କରାଯାଉଛି। ଏହାସହିତ ଶିକାରୀମାନଙ୍କ ଉପରେ ମଧ୍ୟ ନଜର ରଖାଯାଉଛି। ସେ ଆହୁରି କହିଛନ୍ତି ଯେ, କିଛି ଅଞ୍ଚଳରେ ମାଟିର ଉର୍ବରତା ବଢାଇବା ପାଇଁ ଘଞ୍ଚ ଜଙ୍ଗଲରେ ଇଚ୍ଛାକୃତ ଭାବେ ନିଆଁ ଲଗାଯାଉଛି।
ବିଶେଷକରି କିଛି ସ୍ଥାନରେ ଆଦିବାସୀମାନେ ମକର ସଂକ୍ରାନ୍ତି ପରେ ନିଜ ଜମିର ଉର୍ବରତା ବୃଦ୍ଧି ପାଇଁ ଜଙ୍ଗଲକୁ ପୋଡ଼ିଥାନ୍ତି।ଆଧୁନିକ ପ୍ରଯୁକ୍ତି ବ୍ୟବହାର ଫଳରେ ଏବେ ଜଙ୍ଗଲ ନିଆଁର ଘଟଣା କମିଛି, ଜୀବଜନ୍ତୁଙ୍କ ମୃତ୍ୟୁ ହାର କମିଛି ଏବଂ ଘଞ୍ଚ ଜଙ୍ଗଲର ସୁରକ୍ଷା ବଢ଼ିଛି ବୋଲି ମନ୍ତ୍ରୀ ଗଣେଶ ରାମସିଂହଖୁଣ୍ଟିଆ ସୂଚନା ଦେଇଛନ୍ତି।

