ନ୍ୟୁଜ ଡେକ୍ସ : ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ଲେଖେଁ ମନ୍ତ୍ରୀଙ୍କୁ ମଣ୍ଡି ଦାୟିତ୍ୱ ଦିଆଯାଇଥିବା ସହ ସମନ୍ବୟ ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଛି। ଏନେଇ ବିଧାନସଭାରେ ଆଜି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ମନ୍ତ୍ରୀ କହିଛନ୍ତି, ମଣ୍ଡିଗୁଡ଼ିକରେ ସ୍ଥିତି ଉପରେ ନଜର ରଖିବା ପାଇଁ ମନ୍ତ୍ରୀମାନେ ସିଧାସଳଖ ମଣ୍ଡି ବୁଲି ପରିଦର୍ଶନ କରିବେ। ଏଥିସହ ପ୍ରତ୍ୟେକ ମଣ୍ଡିରେ ଜିଲ୍ଲାପାଳ ଜଣେ ଦାୟିତ୍ୱବାନ ଅଫିସରଙ୍କୁ ନିଯୁକ୍ତ କରିବେ। ସମ୍ବନ୍ଧିତ ଅଫିସର ଜିଲ୍ଲାପାଳଙ୍କୁ ନିୟମିତ ଭାବେ ରିପୋର୍ଟ ପ୍ରଦାନ କରିବେ। ସମବାୟ, ପଞ୍ଚାୟତିରାଜ ଓ ଖାଦ୍ୟ ଯୋଗାଣ ବିଭାଗ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରାଯିବ।ଯୋଗାଣ ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ, ୫ଟି ଜିଲ୍ଲାକୁ ମୋଟ ୨ ଲକ୍ଷ ୯୪ ହଜାର ୫୯୪ଟି ଟୋକେନ ବଣ୍ଟନ କରାଯାଇଛି।
ବରଗଡ଼ରେ ୭୩,୬୯୬, ବଲାଙ୍ଗୀରରେ ୫୩,୦୯୦, କଳାହାଣ୍ଡିରେ ୮୮,୬୬୬, ନୂଆପଡ଼ାରେ ୨୯,୭୮୬ ଏବଂ ସମ୍ବଲପୁରରେ ୪୯,୩୩୩ ଚାଷୀଙ୍କୁ ଟୋକେନ ପ୍ରଦାନ କରାଯାଇଛି। ଶୀଘ୍ର ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଚଳିତ ଖରିଫ ଋତୁ ପାଇଁ ରାଜ୍ୟର ୧୯ ଲକ୍ଷ ୬୭ ହଜାର ୮୧୨ ଚାଷୀ ପଞ୍ଜିକୃତ ହୋଇଛନ୍ତି। ଆଗାମୀ ଦିନରେ ଚାଷୀମାନଙ୍କ ସୁବିଧା ପାଇଁ ୧୦୦ଟି ମଡେଲ ମଣ୍ଡି ଖୋଲିବାକୁ ସରକାର ଯୋଜନା କରିଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

