Sun. Feb 22nd, 2026

ନ୍ୟୁଜ ଡେକ୍ସ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୬–୨୭ ଶିକ୍ଷାବର୍ଷର ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ) ପରୀକ୍ଷା ପାଇଁ ନବମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ଆଜି ଡିସେମ୍ବର ୩ ତାରିଖରୁ ଆରମ୍ଭ ହେଉଛି। ଡିସେମ୍ବର ୧୭ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଏହି ପଞ୍ଜୀକରଣ ଓ ଦେୟ ଦାଖଲ ପ୍ରକ୍ରିୟା ଚାଲିବ।

ରାଜ୍ୟର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହାୟତାରେ ଅନ୍‌ଲାଇନ୍‌ ମାଧ୍ୟମରେ ପଞ୍ଜୀକରଣ କାର୍ଯ୍ୟ ସମାପନ କରିବେ। ଏହି ସମୟ ମଧ୍ୟରେ ୨୪ ଘଣ୍ଟା ଅନ୍‌ଲାଇନ୍‌ ସୁବିଧା ଉପଲବ୍ଧ ରହିବ।ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଇଁ ୬୦ ଟଙ୍କା ପଞ୍ଜୀକରଣ ଦେୟ ଅନ୍‌ଲାଇନ୍‌ ମାଧ୍ୟମରେ ଦାଖଲ କରାଯିବ। ଏହି ସମୟ ମଧ୍ୟରେ ରେଗୁଲାର ଓ କ୍ୱାସି ରେଗୁଲାର ବିଦ୍ୟାର୍ଥୀଙ୍କ ପଞ୍ଜୀକରଣ ମଧ୍ୟ ସମ୍ପନ୍ନ ହେବ। ତେବେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲରେ ପଢୁଥିବା ଏସ୍‌ସି ଓ ଏସ୍‌ଟି ବର୍ଗର ରେଗୁଲାର ଛାତ୍ରଛାତ୍ରୀଙ୍କୁ କୌଣସି ପଞ୍ଜୀକରଣ ଦେୟ ଦେବାକୁ ପଡିବ ନାହିଁ।

ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ଯେ, ପଞ୍ଜୀକରଣ ପାଇଁ ଆବେଦନ ପତ୍ରର ଫର୍ମାଟ, ନିର୍ଦେଶାବଳୀ ଓ ଲିଙ୍କ www.bseodisha.ac.in ୱେବସାଇଟ୍‌ରେ ଉପଲବ୍ଧ ରହିବ। ସମସ୍ତ ବିଦ୍ୟାର୍ଥୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶାବଳୀ ଭଲଭାବେ ପଢି ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଛି।ପଞ୍ଜୀକରଣ କାର୍ଯ୍ୟ ଶେଷ ହେବା ପରେ ଡେସକ୍ରିପଟିଭ ରୋଲ ସିଟ୍‌ ଡାଉନ୍‌ଲୋଡ କରି ବୋର୍ଡର ସମ୍ପର୍କିତ ଶାଖା କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡିବ। ଏହି ସମୟ ମଧ୍ୟରେ ଯେଉଁ ବିଦ୍ୟାର୍ଥୀ ନାମ ପଞ୍ଜୀକରଣ କରିପାରିବେ ନାହିଁ, ସେମାନେ ୨୦୨୭ ମାଟ୍ରିକ ପରୀକ୍ଷା ଦେଇପାରିବେ ନାହିଁ ବୋଲି ବୋର୍ଡ ସ୍ପଷ୍ଟ କରିଛି।

ଏଭଳି କ୍ଷେତ୍ରରେ ସେମାନେ ବୋର୍ଡ ଦ୍ୱାରା ପରିଚାଳିତ ପତ୍ରମାଧ୍ୟମ ପାଠ୍ୟକ୍ରମରେ ନାମ ପଞ୍ଜିକୃତ କରି ପରୀକ୍ଷା ଦେବା ପାଇଁ ଯୋଗ୍ୟ ହେବେ। କ୍ୱାସି ରେଗୁଲାର ପ୍ରାର୍ଥୀଙ୍କ ପଞ୍ଜୀକରଣ ପାଇଁ ବୋର୍ଡର ଶାଖା କାର୍ଯ୍ୟାଳୟର ଉପସମ୍ପାଦକ ଲିଖିତ ନିର୍ଦେଶ ପ୍ରଦାନ କରିବେ ବୋଲି ବିଜ୍ଞପ୍ତିରେ ଜଣାଯାଇଛି।

Leave a Reply

Your email address will not be published. Required fields are marked *