ନ୍ୟୁଜ ଡେକ୍ସ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନାରେ ଥାନା ଅଧିକାରୀ ଏବଂ ଜଣେ ASIଙ୍କ ମଧ୍ୟରେ ଯୁକ୍ତିତର୍କ ଓ ହାତାହାତି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାଟି ଡିସେମ୍ବର ୧ ତାରିଖ ସନ୍ଧ୍ୟା ସାଢ଼େ ୭ଟା ସମୟରେ ଥାନା ଭିତରେ ଘଟିଥିବା ସୂଚନା ମିଳିଛି।ସୂଚନା ଅନୁସାରେ, ଅଳକୁଣ୍ଡ ଥାନା ଅଧିକାରୀ ଦେବାଶିଷ ଶତପଥି ଓ ASI ପ୍ରକାଶ କୁମାର ସିଂହଙ୍କ ମଧ୍ୟରେ ଚାର୍ଜସିଟ୍ ଲେଖାକୁ ନେଇ ପ୍ରଥମେ ଯୁକ୍ତିତର୍କ ହୋଇଥିଲା।
ପରବର୍ତ୍ତୀ ସମୟରେ ରାଗିଥିବା ଥାନା ଅଧିକାରୀ ଚେୟାରରୁ ଉଠି ASIଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ରହିଛି। ଘଟଣା ବେଳେ ସେଠାରେ ଅନ୍ୟ ୨ ଜଣ କର୍ମଚାରୀ ଉପସ୍ଥିତ ଥିଲେ ଏବଂ ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଥାନା ଭିତରେ IIC ଓ ASIଙ୍କ ମଧ୍ୟରେ ହାତାହାତି ହେବା ଘଟଣା CCTV କ୍ୟାମେରାରେ ରେକର୍ଡ ହୋଇଥିବା ମଧ୍ୟ ସୂଚନା ମିଳିଛି।
ଏହି ଘଟଣାକୁ ଗମ୍ଭୀରତାରେ ନେଇ ଯାଜପୁର ଏସ୍ପି ୟସପ୍ରିତ୍ ଶ୍ରୀମଲ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଅଳକୁଣ୍ଡ ଥାନା ଅଧିକାରୀ ଦେବାଶିଷ ଶତପଥି ଓ ASI ପ୍ରକାଶ କୁମାର ସିଂହ—ଉଭୟଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି।ଏପରି ଘଟଣା ପୋଲିସ ବିଭାଗର ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଥିବାବେଳେ, ଏସ୍ପିଙ୍କ କଡ଼ା ପଦକ୍ଷେପକୁ ସ୍ୱାଗତ କରାଯାଇଛି।

