Sun. Feb 22nd, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଗୁରୁବାର ଦିନ ତୀବ୍ର ଉତ୍ତେଜନା ଦେଖାଦେଇଛି। ଜଣେ ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଓ ନିର୍ଯାତନା ଅଭିଯୋଗକୁ ନେଇ ଛାତ୍ରୀମାନେ କ୍ୟାମ୍ପସ ଭିତରେ ଓ ପରେ ରାସ୍ତାକୁ ଓହ୍ଲାଇ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ ଯୋଗୁଁ କିଛି ସମୟ ପର୍ଯ୍ୟନ୍ତ ଟ୍ରାଫିକ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

ସୂତ୍ର ଅନୁସାରେ, ଡ୍ରାମା ବିଭାଗରେ ସମ୍ପ୍ରତି ଯୋଗ ଦେଇଥିବା କିଛି ଛାତ୍ରୀ ଜଣେ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ ବିରୋଧରେ ଅସଦାଚରଣ ଓ ହଇରାଣ କରିବା ଅଭିଯୋଗ କରିଥିଲେ। ଛାତ୍ରୀମାନଙ୍କ ଅଭିଯୋଗ ପରେ କଲେଜ କ୍ୟାମ୍ପସରେ ଅସନ୍ତୋଷ ଛାଉଁ ହୋଇଯାଇଥିଲା ଓ ବହୁ ସଂଖ୍ୟକ ଛାତ୍ରୀ ରାସ୍ତା ଅବରୋଧ କରି ତୁରନ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପରିସ୍ଥିତି ତନ୍ତାବସ୍ଥା ହେବା ପରେ ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍ କଲେଜ କ୍ୟାମ୍ପସକୁ ଯାଇ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ। ସେହିପରି ପୋଲିସର ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଥିଲେ।

ଏହି ଘଟଣା ସମ୍ପର୍କରେ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ଦେବ ପ୍ରସାଦ ଦାସ ସୂଚନା ଦେଇଛନ୍ତି ଯେ ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ କଳାତାଲିକାଭୁକ୍ତ କରାଯିବ। ତାଙ୍କୁ ଆଗାମୀ ଦିନରେ କୌଣସି କଲେଜରେ ପଢ଼ାଇବାର ସୁଯୋଗ ନ ମିଳିବ ବୋଲି ସ୍ପଷ୍ଟ କରାଯାଇଛି।ପୋଲିସ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଥିବାରୁ ତାଙ୍କୁ ଏପର୍ଯ୍ୟନ୍ତ ପଚରାଉଚରା କରାଯାଇନି। ତେବେ ଅଭିଯୋଗକାରୀ ଛାତ୍ରୀମାନଙ୍କର ବିବୃତି ନିଆଯାଇଛି ଓ ସେସମ୍ପର୍କିତ ରିପୋର୍ଟ ବିଭାଗକୁ ଦିଆଯିବ ବୋଲି ସୂଚନା ମିଳିଛି।ଘଟଣାକୁ ନେଇ ସମଗ୍ର ରାଜଧାନୀରେ ଚର୍ଚ୍ଚା ଜୋରଧରିଥିବାବେଳେ, ପ୍ରଶାସନଙ୍କ ପକ୍ଷରୁ କଡ଼ା ପଦକ୍ଷେପ ନେବାକୁ ଦାବି ବଢ଼ିଛି।

Leave a Reply

Your email address will not be published. Required fields are marked *