ନ୍ୟୁଜ ଡେକ୍ସ : ରାଜ୍ୟରେ ପୁଣି ଏକ ଦଫାରେ ଶୀତ ପ୍ରକୋପ ବଢ଼ିବାକୁ ଯାଉଛି। ଆଜିଠୁ ରାତି ତାପମାତ୍ରା କମିବା ସହ ଥଣ୍ଡାର ପ୍ରଭାବ ଅଧିକ ଅନୁଭୂତ ହେବ। ପାଣିପାଗ ବିଭାଗର ଆକଳନ ଅନୁସାରେ, ଶନିବାର ଯାଏଁ ରାଜ୍ୟର ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ସେଲସିଅସ ପର୍ଯ୍ୟନ୍ତ ଖସିପାରେ। କିଛି ଦିନର ସାମୟିକ ଆରାମ ପରେ ପୁଣି ଶୀତର ପ୍ରଭାବ ବଢ଼ିଛି।
ମଙ୍ଗଳବାର ରାତିରେ ଜି. ଉଦୟଗିରି, ଦାରିଙ୍ଗବାଡି, ଚିପିଲିମା, ଫୁଲବାଣୀ, ବୌଦ୍ଧ ଓ ସୋନପୁରରେ ରାତି ତାପମାତ୍ରା ହଠାତ୍ ଖସିଥିଲା। ଦିନକ ମଧ୍ୟରେ ଜି. ଉଦୟଗିରିରେ ପ୍ରାୟ ୫ ଡିଗ୍ରୀ, ଦାରିଙ୍ଗବାଡିରେ ୨.୫ ଡିଗ୍ରୀ, ଫୁଲବାଣୀରେ ୧.୫ ଡିଗ୍ରୀ, ଭୁବନେଶ୍ୱରରେ ୪ ଡିଗ୍ରୀ ଓ କଟକରେ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି।ଜଲବାୟୁ ବିଶେଷଜ୍ଞ ପ୍ରଫେସର ପଶୁପାଳକ କହିଛନ୍ତି ଯେ ଆଗାମୀ ଦିନଗୁଡ଼ିକରେ ଶୀତ ବଢ଼ିବା ସହ କୁହୁଡ଼ିର ପ୍ରଭାବ ମଧ୍ୟ ବୃଦ୍ଧି ପାଇବ। ଆସନ୍ତା ୪ ଦିନ ମଧ୍ୟରେ ପାରଦ ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ। ଆସନ୍ତା ୭ ତାରିଖ ରାତିରେ ଭୁବନେଶ୍ୱର ସହ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି ତାପମାତ୍ରା ଆଉ ୧ ଡିଗ୍ରୀ କମିବାର ସମ୍ଭାବନା ରହିଛି।
୮ ତାରିଖ ରାତିରେ କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧ରୁ ୨ ଡିଗ୍ରୀ ବୃଦ୍ଧି ପାଇପାରେ। ତେବେ ୯ ତାରିଖରୁ ପୁଣି ତାପମାତ୍ରା ଖସିବ ଓ ଶୀତ ଜାରି ରହିବ। ୫ ଓ ୯ ତାରିଖରେ ଘନ କୁହୁଡ଼ି ଦେଖାଦେବ ବୋଲି ପୂର୍ବାନୁମାନ କରାଯାଇଛି।ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ଆସନ୍ତା ଦୁଇ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ। ଗୁରୁବାର ଫୁଲବାଣୀ, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ ଓ କେନ୍ଦୁଝରରେ ରାତି ତାପମାତ୍ରା କମ୍ ରହିବ। ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି।

