ନ୍ୟୁଜ ଡେକ୍ସ : ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ସଫଳ ଆୟୋଜନ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ଚଳିତ ବର୍ଷ ଡିସେମ୍ବର ୨୪ ତାରିଖରୁ ୨୦୨୬ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ବରଗଡ଼ରେ ଧନୁଯାତ୍ରା ମହୋତ୍ସବ ଆୟୋଜିତ ହେବ।
ଏହି ଅବସରରେ ଧନୁଯାତ୍ରାରେ ଭାଗନେଉଥିବା ପ୍ରାୟ ୨୦୦ ଜଣ କଳାକାରଙ୍କୁ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ରାଶି ପ୍ରଦାନ କରାଯିବ।ଧନୁଯାତ୍ରାର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଏଲଇଡ଼ି ପରଦା ମାଧ୍ୟମରେ ସିଧା ପ୍ରସାରଣ କରାଯିବ। ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ଓଡ଼ିଶା ବାହାରର ବିଭିନ୍ନ ରାଜ୍ୟରେ ମଧ୍ୟ ଏହି ସିଧା ପ୍ରସାରଣ ବ୍ୟବସ୍ଥା କରାଯିବ। ବରଗଡ଼ ସହରର ମୁଖ୍ୟ ପ୍ରବେଶଦ୍ୱାର ଗୁଡ଼ିକରେ ଧନୁଯାତ୍ରା ଥିମ୍ସମ୍ବନ୍ଧୀୟ ଗେଟ୍ ନିର୍ମାଣ କରିବା ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଏଥିପାଇଁ ପୁରୀ ଓ ଭୁବନେଶ୍ୱରରୁ ବରଗଡ଼କୁ ସ୍ୱତନ୍ତ୍ର ଟୁରିଷ୍ଟ ବସ୍ ସେବା ଚଳାଚଳ କରିବା ସହ ଧନୁଯାତ୍ରା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଁ ଏକ ସ୍ୱତନ୍ତ୍ର ୱେବସାଇଟ ମଧ୍ୟ ଆରମ୍ଭ ହେବ।
ଏହି ୱେବସାଇଟରେ ଧନୁଯାତ୍ରାର ଚିତ୍ରାୟନ, ଦୃଶ୍ୟାବଳୀ, ପ୍ରମୁଖ ହୋଟେଲ, ପାର୍କିଂ ସ୍ଥାନ, ମହୋତ୍ସବ ସ୍ଥଳ ଓ ଜିପିଏସ ସେବା ସହ ଡିଜିଟାଲ କୁଇଜ ଓ ଡିଜିଟାଲ ପ୍ରମାଣପତ୍ର ବ୍ୟବସ୍ଥା ରହିବ।ଧନୁଯାତ୍ରା ସମୟରେ ସୁରକ୍ଷା, ଅଗ୍ନିଶମ, ସ୍ଵଚ୍ଛତା, ଆଶୁ ଚିକିତ୍ସା ଓ ସମସ୍ତ ପ୍ରଶାସନିକ ବନ୍ଦୋବସ୍ତ ସୁନିଶ୍ଚିତ କରିବାକୁ ସଂସ୍କୃତି ମନ୍ତ୍ରୀ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଧନୁଯାତ୍ରା ହେଉଛି ଓଡ଼ିଶାର ଗୌରବମୟ ସଂସ୍କୃତି ଓ ଐତିହ୍ୟର ଏକ ଅଦ୍ଭୁତ ଜୀବନ୍ତ ଉତ୍ସବ। ଏ ସମୟରେ ବରଗଡ଼ ମଥୁରା ନଗରୀ, ଅମ୍ବାପାଲି ଗୋପପୁର ଏବଂ ଜୀରା ନଦୀ ଯମୁନା ନଦୀର ରୂପ ନେଇଥାଏ। ଏବର୍ଷ ଧନୁଯାତ୍ରାକୁ ଦିବ୍ୟ, ଭବ୍ୟ ଓ ଆଡ଼ମ୍ବରମୟ ଭାବରେ ପାଳନ କରାଯିବ ବୋଲି ସେ ମତପ୍ରକାଶ କରିଛନ୍ତି।

