ନ୍ୟୁଜ ଡେକ୍ସ : ଭକ୍ତମାନଙ୍କ ପାଇଁ ଖୁସି ଖବର। ଶିବରାତ୍ରି ପୂର୍ବରୁ ଲିଙ୍ଗରାଜ ମନ୍ଦିରକୁ ନେଇ ଚାଲିଥିବା ଏକାମ୍ର ପରିକ୍ରମା ପ୍ରକଳ୍ପର ପ୍ରମୁଖ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ଆସନ୍ତା ଜୁନ୍ ମାସ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକଳ୍ପ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ କାର୍ଯ୍ୟକୁ ତ୍ୱରିତ ବେଗରେ ଆଗକୁ ନିଆଯାଉଥିବା ଜଣାପଡ଼ିଛି।ଜମି ଅଧିଗ୍ରହଣ ସମସ୍ୟାର ସମାଧାନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
୨୦୨୩ ମସିହାରୁ ପ୍ରକଳ୍ପ କାର୍ଯ୍ୟ କରୁଥିବା କଣ୍ଟ୍ରାକ୍ଟରଙ୍କ ପଛଘୁଞ୍ଚା କାରଣରୁ କିଛି ବିଳମ୍ବ ହୋଇଥିଲା। ବର୍ତ୍ତମାନ ବକାୟା କାର୍ଯ୍ୟକୁ ୩ରୁ ୪ ଭାଗରେ ବାଣ୍ଟି ମାର୍ଚ୍ଚ ପୂର୍ବରୁ ଏବଂ ଶିବରାତ୍ରି ସମୟରେ ମନ୍ଦିର ପାରିପାର୍ଶ୍ୱିକ ସମସ୍ତ କାମ ଶେଷ କରିବାକୁ ଟାର୍ଗେଟ ଦିଆଯାଇଛି।ଫେବୃୟାରୀ ଶେଷ ସୁଦ୍ଧା ପାର୍କିଂ ଅଞ୍ଚଳ ଓ ପ୍ରଭୁ ଲିଙ୍ଗରାଜ ମନ୍ଦିର ସହ ପ୍ରଭୁ ଅନନ୍ତ ବାସୁଦେବଙ୍କ ପ୍ଲାଜା କାର୍ଯ୍ୟ ଏବଂ ମାର୍ଚ୍ଚ ମାସ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଯୋଜନା ହୋଇଛି। ବ୍ୟାଖ୍ୟାନ କେନ୍ଦ୍ର ପାଇଁ ମାତ୍ର ଟିକେ ଅଧିକ ସମୟ ଲାଗିପାରେ।
ସେହିପରି ବିନ୍ଦୁସାଗର ପୋଖରୀ ଏବଂ ଏହାର ପାରିପାର୍ଶ୍ୱିକ କ୍ଷେତ୍ରକୁ ଅଧିକ ସୁନ୍ଦର କରାଯିବା ସହ ଦେବୀପାଦହରା ଓ ପାପନାଶିନୀ ପୁଷ୍କରିଣୀଙ୍କ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ହେବ। ଏଥିପାଇଁ ASI ସହ ଆଲୋଚନା ଚାଲିଛି ଓ ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇବେ ବୋଲି କୁହାଯାଇଛି।ଏନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ୍ ହରିଚନ୍ଦନ କହିଛନ୍ତି ଯେ, ପ୍ରକଳ୍ପ କାର୍ଯ୍ୟର ନିରନ୍ତର ତଦାରଖ କରାଯିବ ଏବଂ ଆଗାମୀ ଦିନରେ କାର୍ଯ୍ୟକୁ ଆହୁରି ତ୍ୱରିତ କରାଯିବ, ଯାହାଦ୍ୱାରା ଶିବରାତ୍ରି ପୂର୍ବରୁ ଭକ୍ତମାନେ ଏକାମ୍ର ପରିକ୍ରମାର ସୁବିଧା ଉପଭୋଗ କରିପାରିବେ।

