Fri. Oct 24th, 2025

ନ୍ୟୁଜ ଡେକ୍ସ: ଥମୁନି ଗଞ୍ଜେଇ ଚୋରା ଚାଲାଣ। ତାହା ପୁଣି ଅଭିନବ ଉପାୟ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ଵରରେ । ଏକ ଫଳ ବୋଝେଇ ଟ୍ରକରୁ ମିଳିଛି ଚୋରା ଗଞ୍ଜେଇ । ୮୦୮ କିଲୋରୁ ଅଧିକ ଗଞ୍ଜେଇ। ଭୁବନେଶ୍ୱର ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତ କ୍ରିଷ୍ଣାଭରମରୁ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ।

ଏହି ଘଟଣାରେ ଟ୍ରକ୍ ଡ୍ରାଇଭର ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏ ୬୧ ଲକ୍ଷ ଟଙ୍କା ହେବ। ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଆସୁଥିବା ଏକ ଫଳ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇ ଜାଲ ବିଛାଇଥିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଗୋଟେ କାର୍ ଉକ୍ତ ଗଞ୍ଜେଇ ବୋଝେଇ ଟ୍ରକକୁ ଏସ୍କର୍ଟ ଦେଇ ଆଣୁଥିଲା। ସନ୍ଦେହରେ ପୂର୍ବରୁ ଛକି ବସିଥିବା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଗଞ୍ଜେଇ ଭର୍ତ୍ତି ଟ୍ରକ୍ ଓ କାର୍‌କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେକାର୍ ଏବଂ ଟ୍ରକ ଜାଣିପାରି ତୀବ୍ର ଗତିରେ ଗାଡି ଚଲେଇଥିଲେ ।

ଦ୍ରୁତ ଗତିରେ ଗାଡି ଚଲାଇବାରୁ ଟ୍ରକ୍‌ଟି ଆସି ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା କ୍ରିଷ୍ଣାଭରମ୍ ଟୋଲଗେଟକୁ ଧକ୍କା ଦେଇଥିଲା। ପରେ ସେଠାରେ କାରଟି ମଧ୍ୟ ଅଟକି ଯାଇଥିଲା। ଏହାପରେ ଡିଆରଆଇ କର୍ମଚାରୀମାନେ କାର୍‌ ଓ ଟ୍ରକ୍‌କୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଟ୍ରକ୍ ଓ କାର୍‌ରୁ ପ୍ରାୟ ୮୦୮.୧୮ କେଜି ଗଞ୍ଜେଇ ଜବତ କରିଥିଲେ । ଗଞ୍ଜେଇ କେଉଁଠୁ ଆସୁଥିଲା ଏବଂ କାହା ପାଖକୁ ଆସୁଥିଲା, ଏହାର ମାଷ୍ଟର ମାଇଣ୍ଡ କିଏ ଏନେଇ ସବିଶେଷ ତଥ୍ୟ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ଡିଆରଆଇ ।

Leave a Reply

Your email address will not be published. Required fields are marked *