Mon. Feb 23rd, 2026

ନ୍ୟୁଜ ଡେକ୍ସ : ଇଣ୍ଡିଗୋ ଦ୍ୱାରା ଦେଶବ୍ୟାପୀ ବିମାନ ସେବା ବାତିଲ ହେବା ଏକ ନବବିବାହିତ ଦମ୍ପତିଙ୍କ ପାଇଁ ବିପଦର କାରଣ ହୋଇଛି। ଏପରିକି ନିଜ ରିସେପସନ୍ ପାର୍ଟିରେ ସେମାନେ ସ୍ୱୟଂ ଉପସ୍ଥିତ ହୋଇପାରିନଥିବାରୁ ଭର୍ଚୁଆଲ୍ ମୋଡ୍‌ରେ ସାମିଲ ହେବାକୁ ବାଧ୍ୟ ହୋଇଥିଲେ।ଭୁବନେଶ୍ୱରର ସଙ୍ଗମା ଦାସ ଏବଂ ହୁବଲିର ମେଧା କ୍ଷୀରସାଗର ନଭେମ୍ବର ୨୩ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟ ବେଙ୍ଗାଲୁରୁରେ କାର୍ଯ୍ୟରତ ସଫ୍ଟୱେର୍ ଇଞ୍ଜିନିୟର ବୋଲି ଜଣାପଡ଼ିଛି।

ବିବାହ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବାବେଳେ, ମେଧାଙ୍କ ପରିବାର ପକ୍ଷରୁ ବୁଧବାର ହୁବଲିର ଗୁଜରାଟ ଭବନରେ ଏକ ଭବ୍ୟ ରିସେପସନ୍ ପାର୍ଟିର ଆୟୋଜନ କରାଯାଇଥିଲା।ଦମ୍ପତି ମଙ୍ଗଳବାର ଦିନ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଏବଂ ପରଦିନ ସକାଳେ ହୁବଲି ପହଞ୍ଚିବା ପାଇଁ ବିମାନ ଟିକେଟ ବୁକ୍ କରିଥିଲେ। କିନ୍ତୁ ମଙ୍ଗଳବାର ସକାଳ ୯ଟାରୁ ପରଦିନ ସକାଳ ପର୍ଯ୍ୟନ୍ତ ବିମାନ ବାରମ୍ବାର ବିଳମ୍ବ ଓ ପରେ ବାତିଲ ହେବାରୁ ସେମାନେ ଫସିଯାଇଥିଲେ। ଶେଷରେ ଡିସେମ୍ବର ତାରିଖରେ ମଧ୍ୟ ବିମାନ ସମ୍ପୂର୍ଣ୍ଣରୂପେ ବାତିଲ ହୋଇଯାଇଥିଲା। ଭୁବନେଶ୍ୱରରୁ ମୁମ୍ବାଇ ଓ ସେଠାରୁ ହୁବଲିକୁ ଯାଉଥିବା ଅନେକ ସମ୍ପର୍କୀୟ ମଧ୍ୟ ବିମାନ ସେବା ବାତିଲ ହେବାରୁ ହଟହଟା ହୋଇଥିଲେ।

ନବବିବାହିତ ଦମ୍ପତି ରିସେପସନ୍‌କୁ ସ୍ୱୟଂ ଯାଇ ନପାରିବାରୁ ଶେଷରେ କନ୍ୟାର ପିତାମାତା ଦମ୍ପତିଙ୍କ ପାଇଁ ସଂରକ୍ଷିତ ଆସନରେ ବସି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇଥିଲେ।ପରେ ବର ଓ କନ୍ୟା ଭିଡିଓ କନଫରେନ୍ସିଂ ମାଧ୍ୟମରେ ରିସେପସନ୍ ପାର୍ଟି ସହିତ ଯୋଡ଼ି ହୋଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଅତିଥିମାନେ ମଣ୍ଡପରେ ପହଞ୍ଚି ବର ଓ କନ୍ୟାକୁ ଭର୍ଚୁଆଲ୍ ମାଧ୍ୟମରେ ଆଶୀର୍ବାଦ କରିଥିଲେ। ଏହି ଅନନ୍ୟ ଘଟଣା ପରେ ରାଜ୍ୟ ସହ ଦେଶସ୍ତରରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *