Mon. Feb 23rd, 2026

ନ୍ୟୁଜ ଡେକ୍ସ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଆସିଛନ୍ତି ନୂଆ ଅତିଥି। ସୁରଟ ସ୍ଥିତ ଶ୍ୟାମପ୍ରସାଦ ମୁଖାର୍ଜୀ ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନକୁ ଆଣାଯାଇଛି ୫ଟି ଓଧ, ୨ଟି ଧୂସର ଗଧିଆ, ୧୦ଟି ବିରଳ କଇଁଛ ଓ ୨ଟି ଫିଜାଣ୍ଟ ପକ୍ଷୀ।ପ୍ରତିବଦଳରେ ନନ୍ଦନକାନନ ତରଫରୁ ଶ୍ୟାମପ୍ରସାଦ ମୁଖାର୍ଜୀ ପ୍ରାଣୀ ଉଦ୍ୟାନକୁ ୧୪ଟି ଜୀବଜନ୍ତୁ ଦିଆଯାଇଛି।

ସେଥିମଧ୍ୟରେ ୨ଟି ରୟାଲ ବେଙ୍ଗଲ ଟାଇଗର, ୨ଟି ମାଇ ଗଧିଆ, ୩ଟି ଚାରିଶୃଙ୍ଗୀ କୃଷ୍ଣସାର ମୃଗ, ୫ଟି ବିଲୁଆ ଓ ୨ଟି ବାର୍କିଂ ହରିଣ ସାମିଲ ଅଛନ୍ତି।ଏହି ଅଧିଗ୍ରହଣ ସହିତ ନନ୍ଦନକାନନରେ ଜୀବଜନ୍ତୁ ପ୍ରଜାତି ସଂଖ୍ୟା ୧୭୬ରୁ ବୃଦ୍ଧି ପାଇ ୧୭୭କୁ ପହଞ୍ଚିଛି। ନୂଆ ଆସୁଥିବା ଜୀବଜନ୍ତୁମାନେ ୨୦ରୁ ୩୦ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରଖାଯିବେ। ସ୍ୱାସ୍ଥ୍ୟ ପରୀକ୍ଷା ସମ୍ପୂର୍ଣ୍ଣ ହେବା ପରେ ସେମାନଙ୍କୁ ସମ୍ପୃକ୍ତ ଏନକ୍ଲୋଜରକୁ ସ୍ଥାନାନ୍ତର କରାଯିବ ଓ ତାପରେ ପର୍ଯ୍ୟଟକମାନେ ଏହି ନୂଆ ଜୀବଜନ୍ତୁ ଦେଖିପାରିବେ। ଉଲ୍ଲେଖଯୋଗ୍ୟ ଯେ, ୨୦୦୦ ମସିହା ପରେ ନନ୍ଦନକାନନରେ ଓଧ ଶେଷଥର ପାଇଁ ରଖାଯାଇଥିଲେ।

ଦୀର୍ଘ ସମୟ ପରେ ପୁଣି ଓଧମାନଙ୍କ ଆଗମନ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି।ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବା ସହ ଆଗକୁ ନୂଆବର୍ଷକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ, ନୂଆଦିଲ୍ଲୀଙ୍କ ଅନୁମୋଦିତ ଯୋଜନା ଅନୁସାରେ ଏହି ଅଦଳବଦଳ କାର୍ଯ୍ୟକ୍ରମ କରାଯାଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *