ନ୍ୟୁଜ ଡେକ୍ସ :ଆସନ୍ତା ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବ ଚଳିତବର୍ଷର ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ପରୀକ୍ଷାର ସମ୍ପୂର୍ଣ୍ଣ ସୂଚୀ ଘୋଷଣା କରାଯାଇଛି। ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୨ ଯାଏଁ ପରୀକ୍ଷା ଚାଲିବ।ପ୍ରତିଦିନ ସକାଳ ୯ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ।
ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ସମୟରୁ ପୂର୍ବରୁ ଉପସ୍ଥିତ ରହିବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ପ୍ରଥମ ଦିନ ଫେବ୍ରୁଆରୀ ୧୯ରେ ଛାତ୍ରଛାତ୍ରୀମାନେ ମାତୃଭାଷା ପରୀକ୍ଷା ଦେବେ। ୨୧ ଫେବ୍ରୁଆରୀରେ ଇଂରାଜୀ, ୨୩ରେ ସଂସ୍କୃତ/ହିନ୍ଦୀ, ୨୫ରେ ବିଜ୍ଞାନ, ୨୭ରେ ସାମାଜିକ ବିଜ୍ଞାନ ଏବଂ ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ହେବ।ଏହି ବର୍ଷ ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ସମୟ ଦିଆଯିବ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି।
ଏହି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ଉପରେ ପରୀକ୍ଷାର ଚାପ କମାଇବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଛି। ମାଟ୍ରିକ ପରୀକ୍ଷା ସୁଚାରୁରୂପେ ସମ୍ପନ୍ନ କରିବାକୁ ପରୀକ୍ଷା କେନ୍ଦ୍ରଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ଜଣାଯାଇଛି।

