ନ୍ୟୁଜ ଡେକ୍ସ : ବାଲେଶ୍ୱର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖଣି ମାଫିଆଙ୍କ ଦାଦାଗିରିରେ ଦୁଇଜଣ କନିଷ୍ଠ ଖଣି ଅଧିକାରୀ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ସୋର ଥାନା ଅନ୍ତର୍ଗତ ଦାଣ୍ଡହରିପୁର ଗ୍ରାମରେ ବେଆଇନ ଭାବେ ପଥର ଚାଲାଣ କରୁଥିବା ୩ଟି ଡମ୍ପର ଜବତ କରିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି।ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ବାଲେଶ୍ୱରର କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଓ ସମ୍ବିତ କୁମାର ମଣି କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦାଣ୍ଡହରିପୁର ଗ୍ରାମକୁ ଚଢ଼ାଉ କରିଥିଲେ।
ସେଠାରେ ୩ଟି ଡମ୍ପର ଦ୍ୱାରା ବେଆଇନ ଭାବେ ପଥର ଚାଲାଣ ଚାଲିଥିବା ଦେଖି ଗାଡ଼ିଗୁଡିକୁ ଜବତ କରି ଆଣିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍ ଗ୍ରାମର କିଛି ଲୋକ ଉଭୟ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ।ଆକ୍ରମଣ ପରେ ଦୁହେଁ ଅଧିକାରୀ ପ୍ରାଣ ବଞ୍ଚାଇ ସେଠାରୁ ପଳାଇ ସୋର ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ୩୦ ତାରିଖରେ ମଧ୍ୟ ସୋର ତହସିଲ ଓ ଖଣି ବିଭାଗ ପକ୍ଷରୁ ପୃଥକ ଭାବେ ଚଢ଼ାଉ କରାଯାଇ ୧୦ଟି ପଥର ବୋଝେଇ ଓ ୫ଟି ବାଲି ବୋଝେଇ ଗାଡ଼ି ଜବତ କରାଯାଇଥିଲା। ଏହା ସତ୍ତ୍ୱେ ଜିଲ୍ଲାରେ ବେଆଇନ ଖଣି ଓ ଚାଲାଣ ଉପରେ ମାଫିଆଙ୍କ ଆତଙ୍କ ନିୟନ୍ତ୍ରଣକୁ ଆସୁନଥିବା ବେଳେ ପ୍ରଶାସନର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି।

