Tue. Feb 24th, 2026

ନ୍ୟୁଜ ଡେକ୍ସ :ଓଡ଼ିଶାର ଅତ୍ୟନ୍ତ ପ୍ରସିଦ୍ଧ ଧାର୍ମିକ କ୍ଷେତ୍ର ଘଟଗାଁ ମା’ ତାରିଣୀଙ୍କ ପୀଠକୁ ବିଶ୍ୱସ୍ତରୀୟ ଧାର୍ମିକ ଓ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ସୁବିଧାକୁ ନଜରରେ ରଖି ୩୧୧ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ସମନ୍ୱିତ ବିକାଶ ପ୍ରକଳ୍ପ କାମ ଆରମ୍ଭ ହେବ।ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ ମା’ ତାରିଣୀ ପୀଠ ଗସ୍ତ କରି ପୂଜାର୍ଚ୍ଚନା କରିବା ସହ ସମନ୍ୱିତ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ଏହି ପ୍ରକଳ୍ପ ମାଧ୍ୟମରେ ଯାତ୍ରୀ ସୁବିଧା କେନ୍ଦ୍ର, ଯାତ୍ରୀନିବାସ, ରାସ୍ତା ଓ ଯୋଗାଯୋଗ ବ୍ୟବସ୍ଥା, ପୁଷ୍କରିଣୀ ସମୂହର ବିକାଶ, ସୁଦୃଶ୍ୟ ବ୍ୟାଖ୍ୟାନ କେନ୍ଦ୍ର, ପ୍ରାଚୀର ନିର୍ମାଣ, ବର୍ଜ୍ୟବସ୍ତୁ ପରିଚାଳନା, ମନ୍ଦିର ଆଭ୍ୟନ୍ତରୀଣ ଓ ମନ୍ଦିର ସଂଯୋଗୀ ରାସ୍ତାର ବିକାଶ କରାଯିବ। ପ୍ରକଳ୍ପ ଅନ୍ତର୍ଗତ ୨୧୬ ଶଯ୍ୟାବିଶିଷ୍ଟ ଅତ୍ୟାଧୁନିକ ଯାତ୍ରୀନିବାସ, ୫୦୦ ଜଣ ଶ୍ରଦ୍ଧାଳୁ ଏକସାଥିରେ ପ୍ରସାଦ ସେବନ କରିପାରିବା ଆର୍ଥିକ ସୁବିଧା, ନଡ଼ିଆ ଗୋଦାମ ସହ ମା’ ତାରିଣୀଙ୍କ ସମ୍ପର୍କିତ ଏକ ସୁସଜ୍ଜିତ ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ନିର୍ମାଣ ହେବ।ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “କେନ୍ଦୁଝର ଜିଲ୍ଲାର ପବିତ୍ର ମା’ ଘଟଗାଁ ତାରିଣୀ ପୀଠରେ ଆଜି ପୂଜାର୍ଚ୍ଚନା କରିବା ସହ ସମନ୍ୱିତ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବାର ସୌଭାଗ୍ୟ ମୋତେ ମିଳିଛି।

ଦୀର୍ଘଦିନ ଧରି ଅଣଦେଖା ହୋଇଥିବା ଏହି ପୀଠର ସମ୍ପୂର୍ଣ୍ଣ ବିକାଶ ମୋର ଦୀର୍ଘଦିନର ଇଚ୍ଛା ଥିଲା। ଆଜି ମା’ଙ୍କ କରୁଣାରୁ ଏହା ସମ୍ଭବ ହୋଇଛି।” ସେ ଆହୁରି କହିଛନ୍ତି ଯେ, ମା’ ତାରିଣୀ ପ୍ରକଳ୍ପକୁ ବିଶ୍ୱସ୍ତରୀୟ ଧାର୍ମିକ–ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ ଏବଂ ଏହାର କାର୍ଯ୍ୟ ସେ ବ୍ୟକ୍ତିଗତ ଭାବେ ତଦାରଖ କରିବେ। “ମା’ଙ୍କ ଆଶୀର୍ବାଦରେ ଏହି ପ୍ରକଳ୍ପ ପାଇଁ ୩୦୦ କୋଟି ଟଙ୍କାରୁ ଅଧିକ ଅନୁଦାନ ମଞ୍ଜୁର କରାଯାଇଛି।

କାର୍ଯ୍ୟରେ ଅର୍ଥର ଅଭାବ କେବେ ବାଧକ ହେବ ନାହିଁ,” ବୋଲି ସେ କହିଛନ୍ତି।ଶିଳାନ୍ୟାସ କାର୍ଯ୍ୟକ୍ରମ ସହ ଜଡିତ ବିଶାଳ ରୋଡ୍‌ ସୋ’ ଏବଂ ଭକ୍ତମାନଙ୍କ ଭିତରୁ ମିଳିଥିବା ସ୍ନେହାଶୀଷ ନିଜ ସେବା ସଂକଳ୍ପକୁ ଆହୁରି ଦୃଢ଼ କରିଛି ବୋଲି ମୁଖ୍ୟମନ୍ତ୍ରୀ କହି ସମସ୍ତ କେନ୍ଦୁଝରବାସୀ ଓ ଭକ୍ତଗଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *